STORYMIRROR

SARATA KUMAR DAS

Tragedy

3  

SARATA KUMAR DAS

Tragedy

ବେଳାଭୂଇଁର ବିଳାପ

ବେଳାଭୂଇଁର ବିଳାପ

1 min
380


ସାଗରର ଢେଉ ମଥା ପିଟେ ଯେବେ

ବେଳାଭୂଇଁ ବୁକୁ ପରେ

ବକ୍ଷରୁ ନିଗିଡେ ରୁଧିରର ବିନ୍ଦୁ  

ସ୍ବପ୍ନ ଭାଙ୍ଗିଯାଏ ଧୀରେ  ।।


ସିକ୍ତ ବେଳାଭୂଇଁ ରିକ୍ତ ଅଭିସାର

ଛାତି ତଳ ଗୁପ୍ତ କୋହ

ତପ୍ତ ହୃଦୟରେ ଖୋଜୁଥାଏ ସଦା

ମଧୁବୋଳା ସ୍ନିଗ୍ଧ ସ୍ନେହ   ।।


ବାଲୁକା ଶଯ୍ୟାରେ ଇତିହାସ କେତେ

ସାଇତିଛି ବେଳାଭୂଇଁ 

ସୁବର୍ଣ୍ଣ ତୂଳୀରେ ଆଙ୍କିଛି ଛବି ସେ

ସାଗରର ପାଦ ଛୁଇଁ    ।।


ଶୁକ୍ତିର ଗର୍ଭେ ସେ ମୋତିର ସନ୍ଧାନ 

ପାଇଛି କେତେ ଯେ ନିତି 

ମୁକ୍ତ ଅଗଣାରେ ଗାଇଛି କେତେ ସେ

ପ୍ରେମର ଅମର ଗୀତି     ।।


ଛାତିରେ ତା' ଲେଖା ଅନେକ ସ୍ମୃତିର

ଅଲିଭା ଦୀପ୍ତ କାହାଣୀ   

ସବୁଜ ସ୍ବପ୍ନର ଲବଙ୍ଗଦ୍ବୀପରେ

ଲାଖିଛି ତା' ପ୍ରୀତି ଠାଣି  ।।


ଖୋଜେ କେବେ ଯେବେ ହଜିଲା ଅତୀତ 

ନୟନୁ ଝରେ ଶ୍ରାବଣୀ

ଅସରା ଲୁହରେ ପୂରା ତା' ପସରା

ଫିକା ଲାଗେ ତା' ଚାହାଣୀ  ।।


ଛାତିଚିରି ଦେଖେ ବେଳାଭୂଇଁ ଯେବେ

ମଧୁଝରା ସ୍ମୃତିଚିହ୍ନ

ମହମହ ବାସେ କେତେ ପାଦଚିହ୍ନ

ଖୋଜେ ସେ ହଜିଲା ଦିନ  ।।


ବେଦନା ବିଧୁର ସନ୍ତାପିତ ହୃଦେ

ହଜିଯାଏ ମଧୁବାସ୍ନା 

ନୀଳ ଜଳରାଶି ଶୀତଳ ପୀୟୂଷ

ତୃପ୍ତ କରେ ନାହିଁ ତୃଷ୍ଣା    ।।


ସାଗରର ଢେଉ ହାତ ଠାରି ଡାକେ

ଛୁଇଁବାକୁ ଦଗ୍ଧ ତନୁ

ଘୁଞ୍ଚି ଘୁଞ୍ଚି ଯାଏ ବେଳାଭୂଇଁ ଧୀରେ

ସ୍ମୃତି ଅପସରେ ମନୁ    ।।


ନିଥର ନୀରବ ନିରୋଳା ମୁହୂର୍ତ୍ତେ

ବେଳାଭୂଇଁ କାନ୍ଦେ ଏକା

ଉତ୍ତାଳ ତରଙ୍ଗେ ଲିଭିଯିବ ସ୍ମୃତି 

ମନରେ ଭରେ ଆଶଙ୍କା   ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy