ବଡଓଷା
ବଡଓଷା
ଧର୍ମ ମାସ ଏଇ ମହାକାର୍ତ୍ତିକରେ
ବଡ ଓଷା ହେଇଥାଏ
ଶ୍ରଦ୍ଧା ନିଷ୍ଠା ଭକ୍ତି ବିଶ୍ବାସରେ ଏଇ
ବ୍ରତ ପାଳନଟି ହୁଏ ।
ମାସ ସାରା ଦାନ ଧର୍ମ ପାରାୟଣ
କେତେ ନର କରି ଥାଏ
ସକାଳୁ ଗାଧୋଇ ମନ୍ଦିରକୁ ଯାଇ
ଦେବା ଦେବୀ ପୂଜେ ସିଏ ।
ତୁଳସୀରେ ଜଳ ଅର୍ଘ୍ଯ ଦେଇ ଭକ୍ତି
ଦୀପ ଜାଳି ପୂଜୁ ଥାଏ
ହିଂସା କପଟର ଛଳନା ଅହଂକାରୁ
ଦୂରେ ରହିଥାଏ ସିଏ ।
ଏଇ ବଡ ଓଷା ମହାଦେବଙ୍କର
ବଡ ବ୍ରତ ହୋଇଥାଏ
ଧବଳେଶ୍ବରରେ ଭକତର ଭିଡ
ଆହାଃ କେତେ ଜମିଯାଏ ।
ବଡଓଷା ଭୋଗ ନୀତି ନୀୟମରେ
ପାଳନ ଯେ କରାଯାଏ
ଏକଗୋଡେ ଧଳା ଧାନ କୁଟାଯାଇ
ଚାଉଳରୁ ଚୂନା ହୁଏ ।
ସେଇ ଚୂନାକୁ ଯେ ନୁରୁଜ ଉତାରି
ଭୋଗ ପ୍ରସ୍ତୁତଟି ହୁଏ
ଭୋଗ ହାଣ୍ଡି ପୂଜା ନ ସରିବା ଆଗୁ
ସତର୍କେ ରହନ୍ତି ସିଏ ।
ପୂଜା ଶେଷ ହେବା ଆଗରୁ ଯେମିତି
ନଡିଆ ନ ଖାନ୍ତି କିଏ
ଧଳା ଛଉ ତାର ଦେହେ ଉଠି ଯାଏ
ଏକଥା ନା ଭୁଲି ହୁଏ ।
ନିର୍ମଳ ହୃଦୟ ପବିତ୍ର ଶରୀରେ
ନିରାମିଷ ରହି ସିଏ
ମାନସିକ କରି ଏଇ ବଡ ଓଷା
ନିଷ୍ଠାରେ ସେ କରୁ ଥାଏ ।
ଅଛି କିମ୍ବଦନ୍ତୀ କଳା ବଳଦକୁ
ଧଳା କରି ଥିଲେ ସିଏ
ଧବଳ ରୂପରେ ଧବଳେଶ୍ବରରେ
ଧଳା ଭୋଗ ତେଣୁ ହୁଏ ।
ବଡଓଷା ସାରି ପିଲାଙ୍କୁ ଖୁଆଇ
ଘରକୁ ଫେରନ୍ତି ସିଏ
କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗାକୁ ଭସେଇ
ବ୍ରତ ତାର ଭାଙ୍ଗି ଥାଏ ।
ପୂର୍ବ ଦିନ ଏକବାର କରି ସିଏ
ଅରୁଆକୁ ଖାଇ ଥାଏ
ପୂର୍ଣ୍ଣିମାରେ ଶିବ ଦର୍ଶନ କରିଣ
ବ୍ରତ ସମାପ୍ତି ତା ହୁଏ ।
