ବଚନେ ନହୁଅ କୃପଣ
ବଚନେ ନହୁଅ କୃପଣ
ଶ୍ରୀକୃଷ୍ଣ ପାଦେ ଲୟ ରଖି
ସତ୍ୟ ବଚନେ ହୁଅ ସୁଖି ।
କଣ୍ଠେ ଅଛନ୍ତି ବୀଣାପାଣି
ତାକୁ ତୋଷିବ ମନ ଜାଣି ।
ମିଥ୍ୟା ବୋଇଲେ ହେବ କଷ୍ଟ
ବଢିବ ସଦା ଭାଗ୍ୟେ ରିଷ୍ଟ ।
ଯଦି କରିବ ଶୁଭ ଚିନ୍ତା
ସାଜିବେ ହରି ହର୍ତ୍ତା କର୍ତ୍ତା ।
ଗର୍ତ୍ତ ଖୋଳିଲେ ଅନ୍ୟ ପାଇଁ
ତହିଁରେ ପଡେ ନିଜ ଦେହୀ ।
ସାଧୁଙ୍କୁ ଦେଇ ଅନ୍ନଦାନ
ନକୁହ କଟୁକ୍ତି ବଚନ ।
ଲାଭ ନୋହିବ ଯାହା ଦେବ
ସମସ୍ତ ପାପ ଜଳେ ଯିବ ।
ଭାଷା ଯେ ସକଳ ଆଧାର
କରିବ ତାହାର ବିଚାର ।
ଯଦି ମୁଖରୁ ଯାଏ ଚାଲି
ନଆସେ ହେଉ ଥିବ ଭାଳି ।
ଜନକ ଜନନୀର ପ୍ରତି
ଶ୍ରଦ୍ଧା ଭକ୍ତିରେ ରଖ ମତି ।
ଗୁରୁ ଯେ ପରମ ଈଶ୍ଵର
ବିନୟେ ସେବିବ ପୟର ।
ଅଜ୍ଞାନ ଶିଶୁ ବୁଝେ ଭାଷା
ସ୍ନେହ ଚୁମ୍ବନେ ଲିଭେ ତୃଷା ।
ଗର୍ବିତ ଅଂହକାରୀ ଜନ
ନବୁଝେ ହିତ ଭାଷା ଜ୍ଞାନ ।
ତାହାର ସମ୍ମୁଖେ ନରମି
ନକୁହ କେବେ ହେଁ ଗରମି ।
ଭାଷା ଯେ ଚରିତ୍ରର ମୂଳ
ବୁଝାଇ ବୋଲିବ ସରଳ ।
ରାଜା ପାଳିବେ ପ୍ରଜା ଯେବେ
ସର୍ବଦା ସନ୍ତାନ ସ୍ବଭାବେ ।
ମିଷ୍ଟ ବଚନେ କିଣି ନେଲେ
ରଣରେ ଶିର ଦେବେ ଭଲେ ।
ବୈଦ୍ୟରାଜାଙ୍କ ମଧୁ ବାଣୀ
ବ୍ୟାଧିରେ ଲାଗେ ସଂଜୀବନୀ ।
ପ୍ରିୟା ଯେ ପ୍ରେମେ ହୁଏ ବସ
ଭାଷାରେ ରଖ ସୁଧା ରସ ।
କ୍ରୟ ବିକ୍ରୟ ମଧୁରତା
ତେବେ ହାଟରେ ରୁହେ ସତ୍ତା ।
ତପସୀ ଆଚରିବ ଯେବେ
ସତ୍ୟ ଅସତ୍ୟ ଭାବି ନେବେ ।
ବୋଲିବ ନିତି ଧର୍ମ କଥା
କେବେ ହେଁ ନଲଭିବ ବ୍ୟଥା ।
ଭାଷାରୁ ଜ୍ଞାନ ବୃଦ୍ଧି ପ୍ରାପ୍ତି
ଯେହ୍ନେ ଗଗନେ ରବି ଦୀପ୍ତି ।
ତୁକାରି କୁଭାଷା ପ୍ରୟୋଗେ
କୂମ୍ଭୀପାକରେ ପ୍ରାଣ ଭାଗେ ।
ବୋଲନ୍ତି ଜଗନ୍ନାଥ ଦାସ
ସର୍ବଦା ସତ୍ୟ ମିତ ଭାଷ ।
