ବାତ୍ୟାର କୁପ୍ରଭାବ
ବାତ୍ୟାର କୁପ୍ରଭାବ
ଜୀବନ୍ତ ପରିକା ଦୃଶ୍ୟମାନ ହୁଏ
ଅତୀତର କିଛି ସ୍ମୃତି
ଅଲିଭା ସ୍ଥାନକୁ କିଏବା ପୋଛିବ
ଦେଇ ତାର ସର୍ବ ଶକ୍ତି ।
ସମୟ ସ୍ରୋତରେ ଭାସମାନ ପ୍ରାଣ
ସଂଗେ ଧରି ଦୁଃଖ ସୁଖ
କେବେ ସମତଳେ କେବେ ସିନ୍ଧୁ ଜଳେ
କେବେ ଐଶ୍ଵର୍ଯ୍ୟର ଶିଖ ।
ଘାତ ପ୍ରତିଘାତ ସାଥୀ ସମ୍ମିଳନୀ
ଭୀମକାୟ ରୂପକାନ୍ତି
ଅଳନ ଦହନ ପୁଣି ପୟଶୁନ୍ୟ
ତାପରେ ବାତ୍ୟାର ଭୀତି ।
ଅତିଶୟ ଚିନ୍ତା ପ୍ରଳୟ ମଚାଏ
ଜ୍ଞାନ ଧ୍ୟାନ ମନ ଭାଙ୍ଗି
ଯେହ୍ନେ ବହୁ ଜଳ ଉଚ୍ଛୃଖଂଳିତରେ
ବନ୍ଧ ବାଡ ଯାଏ ଲଂଘି ।
ଗର୍ବ ଅହଙ୍କାର ଧରାଶାୟୀ ହୁଏ
ପାପର ପଙ୍କିଳ ଜଳେ
ବେନି ହସ୍ତ ଟେକି ଉପକାର ମାଗେ
ଦୃଶ୍ୟ ହୋନ୍ତି ଭାଗ୍ୟ ବଳେ ।
ଅଙ୍କା ବଙ୍କା ରାହା କେହି ନାହିଁ ସାହା
ସାଥୀ ମିଥ୍ୟା କଣ୍ଟା ଦ୍ରୁମ
ଭସାଇ ନିଏ ସେ ଅପନ୍ତରା ରାଜ୍ୟେ
ପୂର୍ଣ୍ଣ ନୁହେଁ ମନସ୍କାମ ।
କେତେ ଯେ ସପନ ଭବିଷ୍ୟତ ପାଇଁ
ମନରେ ସାଇତା ରୁହେ
ସେହି ଭାବନାର ସଫଳ ନିମନ୍ତେ
ବାତ୍ୟାର କି ଦେହ ସହେ ।
ଯେତକ ସଂପତ୍ତି ସମ୍ମୁଖୀନ ହୁଏ
ସାଉଁଟି ଏକତ୍ର କରେ
ଭଉଁରି ଖେଳାଇ ଉଲ୍ଲସିତ ମନେ
ଘେନି ଯାଏ ସିନ୍ଧୁ ତୀରେ ।
ଆନନ୍ଦିତ ମନେ ଆବେଗରେ ଭାସି
ନଦୀ ଯଦି ଚାଲି ଆସେ
ସେ ସୁଧା ବାରିକୁ ପାନ ନକରି କି
ଅମ୍ବୁଧି ରହିବ ଶୋଷେ ।
ଧରା ପୃଷ୍ଠେ ଯେବେ ପ୍ରଳୟ ରୂପରେ
ବାତ୍ୟା ଆଗମନ କରେ
ବୃକ୍ଷ କିବା ବକ୍ଷ ଯନ୍ତ୍ରଣା ଭିତରେ
ବଞ୍ଚି ଥାଉ ଥାଉ ମରେ ।