ବାତ୍ୟା
ବାତ୍ୟା
ଯେ ବାହ୍ୟ କାରକ ବସ୍ତୁର ଆକୃତି
ଜଡତ୍ବେ ପରିବର୍ତ୍ତନ
ଆଣିଥାଏ ତାହା ବଳ ଅଟେ ବୋଲି
କହେ ପଦାର୍ଥ ବିଜ୍ଞାନ ।
କୌଣସି ତଳର କ୍ଷେତ୍ରଫଳ ଏକ
ବର୍ଗ ଏକକର କ୍ଷେତ୍ରେ
ପ୍ରଯୁକ୍ତ ବଳକୁ ଚାପ ବୋଲି ମୁହିଁ
କହୁଅଛି ସେହି କ୍ଷେତ୍ରେ ।
ପ୍ରତ୍ୟେକ ବସ୍ତୁର ପରିକା ବାୟୁର
ଓଜନ ଅଟେ ତା ବଳ
ବାୟୁ ମଣ୍ଡଳରେ କଳ୍ପିତ ତଳର
ଉପରେ ପଡେ ସେ ବଳ ।
ବାୟୁର ବଳ ଓ କ୍ଷେତ୍ର କ୍ଷେତ୍ରଫଳ
ଦୁହିଁଙ୍କର ଅନୁପାତ
ବାୟୁ ଚାପ ବୋଲି ବିଜ୍ଞାନୀଙ୍କ ଦ୍ବାରା
ସର୍ବଦା ହୁଏ କଥିତ ।
ସୂରୁଯ ଉତ୍ତାପେ ବାୟୁ ମଣ୍ଡଳର
ଉତ୍ତାପର ବୃଦ୍ଧି ହେଲେ
ବାୟୁ କଣା ମଧ୍ୟେ ଦୂରତା ବଢଇ
(ବାୟୁର) ଆୟତନ ବଢେ ଭଲେ ।
ବସ୍ତୁତ୍ବକୁ ତା'ର(ବାୟୁର) ଆୟତନ ଦ୍ବାରା
ଭାଗ କରି ଦେବ ଯେବେ
ପ୍ରାପ୍ତ ଭାଗଫଳ ବାୟୁର ସାନ୍ଦ୍ରତା
ଦର୍ଶାଇବ ଜାଣ ସେବେ ।
ବିଭିନ୍ନ ସମୟେ ବାୟୁ ମଣ୍ଡଳର
ତାପମାତ୍ରା ହୁଏ ଭିନ୍ନ
ବାୟୁ ମଣ୍ଡଳର ସାନ୍ଦ୍ରତା ବଦଳେ
ପ୍ରତି ଦଣ୍ଡ ପ୍ରତି ଦିନ ।
ଉତ୍ତପ୍ତ ବାୟୁର ଆୟତନ ବଢେ
ସାନ୍ଦ୍ରତା ବ୍ୟସ୍ତାନୁପାତେ
ବାୟୁ ମଣ୍ଡଳରେ ବାୟୁ ଚାପ କମେ
ସାନ୍ଦ୍ରତା ସମାନୁପାତେ ।
ସାଗର ବକ୍ଷରେ ବାୟୁଚାପ କମ୍
ସୃଷ୍ଟି କରେ ଅବପାତ
ଲଘୁଚାପ ରୂପ ଧାରଣକରି ସେ
ସୃଷ୍ଟିକରେ ଚକ୍ରବାତ ।
ସମୁଦ୍ରରେ ସୃଷ୍ଟ ଏହି ଲଘୁଚାପ
ଝଡବାତ୍ୟା ରୂପ ନେଇ
ସ୍ଥଳଭାଗ ଆଡେ ମାଡିଆସେ ତାହା
ଅଣଚାଶ ବାଆ ନେଇ ।
ପ୍ରବଳ ବରଷା ଅଣଚାଶ ବାଆ
ବାତ୍ୟାର ସୈନିକ ସାଜି
ସ୍ଥଳଭାଗ ଛୂଇଁ ତାଣ୍ଡବ ରଚଇ
ଭାଙ୍ଗି ଗୃହ ବୃକ୍ଷରାଜି ।
ଚାଳ ଛପରକୁ ଉଡାଇ ନେଇଣ
କାନ୍ଥକୁ ଟଳାଇ ଦେଇ
ଧନ ଜନ ଶସ୍ୟ କ୍ଷେତ ଗୋସମ୍ପଦ
ବନ୍ୟାର ଜଳେ ବୁଡାଇ ।
କୂଳ ଲଙ୍ଘି ସିନ୍ଧୁ ଜଳ ମାଡି ଆସି
ଗାଆଁ ଗଣ୍ଡା ଧୋଇନିଏ
ଅଶାନ୍ତ ସମୁଦ୍ର ତଟଦେଶ ବସ୍ତି
ତା'ଗର୍ଭେ ମିଶାଇ ଦିଏ ।
ବିଦ୍ୟୁତ ଖୂଣ୍ଟିକୁ ଟଳାଇ ଦିଅଇ
କୋଠା ଦିଏ ଭୁଷୁଡାଇ
ନର ପଶୁ ପକ୍ଷୀ କୀଟ ତରୁ ଲତା
ସକଳେ ନାଶ କରଇ ।
ଚାଷୀର ଫସଲ ନଷ୍ଟ ହୋଇଯାଏ
ଭାଙ୍ଗି ଯାଏ ତା'ର ବାସ
ଭୋକ ଉପାସରେ ଟହଳ ବିକଳ
ହଜିଯାଏ ମୁୁଖୁ ହସ ।
ବାତ୍ୟା ଦେଇଯାଏ ଅଜସ୍ର କଷଣ
ଘରଦ୍ବାର ଭାଙ୍ଗିଦେଇ
ମୁକ୍ତାକାଶ ତଳେ ଭୋକିଲା ପେଟରେ
ସୂର୍ଯ୍ଯ ଚନ୍ଦ୍ର ଦେଖୁଥାଇ ।
ବାତ୍ୟା ପ୍ରପୀଡିତ ଲୋକଙ୍କ ଦୁର୍ଦ୍ଦଶା
କହିଲେ ସରିବ ନାହିଁ
କେଇ ଘଣ୍ଟା ମଧ୍ୟେ ଆସି ଚାଲିଯାଏ
ଦୁଃଖର ପାହାଡ ଥୋଇ ।
ବାତ୍ୟା ତ ଅଟଇ ଚିର ସହଚର
ଉପକୂଳବର୍ତ୍ତୀ ପାଇଁ
ତା ସାଥେ ଲଢିବା କଷ୍ଟ ସହିବାଟା
ତା ଭାଗ୍ୟେ ଲିଖିତ ଥାଇ ।
କରିବାକୁ ହେବ ବାତ୍ୟାର ଦାଉରୁ
ସ୍ଥାୟୀ ସୁରକ୍ଷା ଉପାୟ
ବାତ୍ୟା ଆଗମନ ପୂର୍ବୁ ଥଇଥାନ
ଅତ୍ୟାଧୁନିକ ଉପାୟ ।
ବାତ୍ୟାରୋଧୀ ଗୃହ ଭୂତଳ କେବଲ୍
ବିଦ୍ୟୁତ ଯୋଗାଯୋଗ ପାଇଁ
ଟେଲି ଯୋଗାଯୋଗ ପାଇଁ ବି ସେମିତି
ବ୍ୟବସ୍ଥା କରିବା ଭାଇ ।
ଉପକୂଳ ବର୍ତ୍ତୀ ଅଞ୍ଚଳରେ ଝାଉଁ
ଜଙ୍ଗଲ ସୃଷ୍ଟି କରିବା
ଜୁଆର ଦାଉରୁ ରକ୍ଷା କରିବାକୁ
ସୁରକ୍ଷା ପାଚେରୀ ଦେବା ।
ବନ୍ୟା ବାତ୍ୟା ଆମ ଚିର ସହଚର
ପ୍ରାକୃତିକ ବିପର୍ଯ୍ଯୟ
ରୋକି ପାରିବାନି ସତର୍କ ରହିଲେ
କମ୍ ଧନ ଜନ କ୍ଷୟ ।