ବାତ୍ୟା
ବାତ୍ୟା
କିଛି କ୍ଷଣେ ରଚି ତାଣ୍ଡବର ଲୀଳା
ଚାଲିଗଲା ବାତ୍ୟା ୟାଶ୍
ଛାପ ଛାଡିଦେଲା ଓଡିଶା ବକ୍ଷରେ
କରିଦେଇ ସୁଖ ନାଶ ।
କେତେ ଯେ ଟଳିଛି ଦ୍ରୁମ ମହାଦ୍ରୁମ
ଭାଙ୍ଗିଅଛି ଘରଦ୍ୱାର
କି ବିଭତ୍ସ ଦୃଶ୍ୟ ଘଟାଇଛି ୟାଶ୍
ଆକଳନ କରି ପାର ।
ବାତ୍ୟାର ପ୍ରକୋପ ବରଷା ଆଣିଛି
ବନ୍ୟାକୁ ସ୍ୱାଗତ କରି
ପାଣିଘେର ମଧ୍ୟେ ଯୁଝୁଛି ମଣିଷ
ବଞ୍ଚିବାର ମୋହ ଭରି ।
କେତେ ଯେ ନୀରିହ ଆଖିରେ ଲୋତକ
ପେଟରେ ଭୋକର ଜ୍ୱାଳା
ଅସହାୟ ମାତା ପିତା ହୃଦେ ବ୍ୟଥା
ପ୍ରଭୁଙ୍କ ବିଚିତ୍ର ଲୀଳା ।
ରକତ ଖଟାଇ ଗଢିଥିବା ବାସ
ନଷ୍ଟ ହୋଇଯିବା ପରେ
ଖୋଲା ଆକାଶର ତଳେ କେ ଖୋଜୁଛି
ଆଶ୍ରାଟିଏ ଜୀବନରେ ।
ଜୀବନ ସାହାରା ଜୀବିକା କାହାର
ପଡ଼ିଅଛି ବିପଦରେ
ମାଟି ସାଥେ ମାଟି ହୋଇଛି ଫସଲ
ବାଧା ସାଜି ସପନରେ ।
ସମୟ ଅଟକି ଯିବ ନାହିଁ କେବେ
ଗତିଶୀଳ ଅବିରତ
ଦୁଃଖ ଦୁର୍ଦ୍ଦିନରେ ଅଟକି ନାହିଁ ତ
ଜୀବନର ଚଲାପଥ ।
ଏମିତି ଅନେକ ବାତ୍ୟା ଫେରିଲାଣି
ଆସିଯିବ ଭବିଷ୍ୟରେ
ଛାଡିଦେଇଯିବ ଦୁଃସମୟ ସ୍ମୃତି
ଆମ ମନ ହୃଦୟରେ ।
ଭାଙ୍ଗିଥିବା ଅଣ୍ଟା ସଳଖି ଚାଲିବା
ଦେଖିବା ସୁନେଲି ସ୍ୱପ୍ନ
ରହିଯିବ ବକ୍ଷେ କାଳ କାଳ ପାଇଁ
ବାତ୍ୟା ୟାଶ୍ ପଦଚିହ୍ନ ।
ଧୈର୍ଯ୍ୟ ଅସରନ୍ତି ବାହୁରେ ଶକତି
ଜୀବନେ କରିବା ଠୁଳ
ବାତ୍ୟା ପରି କେତେ ବିପର୍ଯ୍ୟୟ ନିଶ୍ଚେ
ହେବ ଦିନେ ଯେ ଦୁର୍ବଳ ।