ବାରାଙ୍ଗନା
ବାରାଙ୍ଗନା
ବାରାଙ୍ଗନା ବୋଲି କହଇ ସମାଜ
ଭାବିଲେ ତା' କଥା ସେ କି କାନ୍ଦନ୍ତା ,
ସେତିକି ପବିତ୍ର ନ ହୋଇଲେ ସିଏ
ତା' ଅଗଣା ମାଟି ପୂଜା ପାଆନ୍ତା ।(?)
କିଏ ସେ ବୁଝୁଛି ତା' ହୃଦ ବେଦନା
ନର ସ୍ବାର୍ଥ ପାଇଁ ବଳି ପଡ଼ଇ ,
ରାତ୍ରୀ ଅଭିସାର ଶେଯ ସ୍ବାର୍ଥ ସାଥି
ନର ପାଇଁ ବାରାଙ୍ଗନା ସାଜଇ ।
ଜନ୍ମରୁ ହୁଏନି କେହି ବାରାଙ୍ଗନା
କାହାର ଘରର ସେ ଯେ ତନୟା ,
ଏ ଦେହ ଲୋଭି ପୁରୁଷ ସମାଜ
ପାଇଁ ବେଶ୍ୟା ଧର୍ମ ପାଳେ ସେ କନ୍ୟା ....
ତା ' ଅଗଣା ମାଟି ମୁଠାଏ ନହେଲେ
ଦୁର୍ଗା ମାଆ ମଧ୍ଯ ଗଢ଼ା ହୁଏନି ,
ମୃଣ୍ମୟୀ ପ୍ରତିମା ବୁଝେ ଦୁଃଖ ସିନା
ଏ ଦୁନିଆ ତାର ଦୁଃଖ ବୁଝେନି ।
କେବେ ବିକି ଦିଏ ନିଜ ପରିବାର
କେବେ ପୁଣି ଜନ୍ମ ହୁଏ ସେଠାରେ,
ବେଶ୍ୟାଳୟ ତାର ଦେହ ଵିକେ ସିନା
ମନ ଭାଙ୍ଗିଯାଏ ପୁରୁଷ ଠାରେ ।
ପୁରୁଷ ଜାତିଟା ସଞ୍ଜମ ହୋଇଲେ
ବାରାଙ୍ଗନା କାହିଁ କିଏ ହୁଅନ୍ତା ?
ଦେହ କିଣା ବିକା ଟଙ୍କା ବଦଳରେ
ଆଶ୍ରମ ତନୟା ହୋଇ ପାରନ୍ତା ।
ଇଚ୍ଛା ଅନିଚ୍ଛାରେ ସାଜେ ବାରାଙ୍ଗନା
ଜୀବନ୍ତ ଦେଵୀ ସେ ନିଶ୍ଚେ ଅନନ୍ୟା ,
ପୁରୁଷ କାମନା ବାସନା ପୂରଣେ
ଭୋକ ଶାନ୍ତ କରେ ବିଚାରି କନ୍ୟା ।
ବାରାଙ୍ଗନା, ବେଶ୍ୟା , ଗଣିକା ସେ ଭୋଗ୍ୟା
କେବଳ ପୁରୁଷ ସମାଜ ପାଇଁ ,
କେତେ ବଳାତ୍କାର ହୁଅନ୍ତା କେଜାଣି
ନଥିଲେ ସମର୍ପି ଦେହକୁ ଛୁଇଁ ।
ଥରଟିଏ କେହି ପଚାରି ବୁଝିଛ
କାହିଁ ବାରାଙ୍ଗନା ହୋଇଛି ସେହି ,
ତା'ର ହାତ ଧରି ସିନ୍ଦୂର ପିନ୍ଧେଇ
ଘରେ ବଧୁ ରୂପେ ବରିଛ କେହି ।(?)
ବହୁତ ସହଜ ସଜେଇବା ବେଶ୍ୟା
ତା ଛାତିରେ ମଥା ରଖି ଶୋଇବା ,
ସେ ଛାତି ସ୍ପଦନେ ଶୁଣିଛକି କେହି
କେତେ କଷ୍ଟମୟ ତାର ବଞ୍ଚିବା ।
ଯୌବନ ଢଳିଲେ ସରିଯାଏ ତାର
ସଞ୍ଜ ହେଲେ ସାଜ ଶୃଙ୍ଗାର ବେଶ ,
ଭିକ୍ଷା ବୃତ୍ତି କରି ପେଟ ପୋଷିବାକୁ
ବାଧ୍ୟ କରିଥାଏ ତାର ବୟସ ।
ପୋକ, ମାଛି ପରି ମରିବାକୁ ହୁଏ
ଏହି ତାର ନିଜ ଆତ୍ମ କାହାଣୀ ,
କେହି ଭାବନ୍ତିନି ମରିଗଲା ପରେ
ଥିଲା ସେ କାହାର ଝିଅ , ଭଉଣୀ ।
ହେ! ପୁଙ୍ଗ ପୁରୁଷ ମଣିଷ ସମାଜ
ଥରଟେ ସାହାଯ୍ୟ ହାତ ବଢ଼େଇ ,
ଝିଅ ବା ' ଭଉଣୀ ଭଳିଆ ଭାବିକି
କର୍ମ ପନ୍ଥା ଟିଏ ଦିଅ ଯୋଗେଇ ।
ନିଶ୍ଚେ ବଦଳିବ ସମାଜର ଛବି
ପେଟ ଲାଗି କେହି ହେବେନି ଛୋଟ ,
କାମନା ବାସନା ସଞ୍ଜମତା ହେଲେ
ପରିବର୍ତ୍ତନ ତ ହେବ ବିରାଟ ।
କବି ଲେଖୁଥିବ କଲମରେ ଖାଲି
ଏ ତ ମୃଗତୃଷ୍ଣା ସମ ଲାଗଇ ,
ଶିକ୍ଷା ଅନୁଷ୍ଠାନ ଅଧୁନା ସମାଜେ
ଦେହ ବ୍ୟାପାରରେ ଲିପ୍ତ ରହଇ ।
ବେଶ୍ୟାଳୟେ ସିନା ବେଶ୍ୟା ବସିଅଛି
ବାରାଙ୍ଗନା ନାମେ କଳଙ୍କ ବୋହି ,
ହଜାରେ ଗୋବିନ୍ଦ ଦେହ ବ୍ୟପାରରେ
କେତେ ନୀରିହାଙ୍କୁ ମାରନ୍ତି ସେହି ।
ଆତ୍ମା ତା' ପବିତ୍ର ଦେହ ଅପବିତ୍ର
କରୁଛି କିଏସେ କୁହ ହେ! ଭାଇ ,
ବାରାଙ୍ଗନା ହେଉ ଅବା ପୁରାଙ୍ଗନା
ମଣିଷ ତ ସିଏ ପଶୁ ନୁହଁଇ ।
ଘୃଣାର ଭାଷା କି ତା ପାଇଁ ଲିଖିତ
ଥରୁଟେ ଭାବିବ ତା'ର ବେଦନା ,
ହୀନ ମନୋଭାବ ବଦଳେଇ ଦେଇ
ତାଙ୍କ ପ୍ରତି ରଖ ସମବେଦନା ।
