ବାରାଙ୍ଗନା —୩
ବାରାଙ୍ଗନା —୩
ଗଣଭୋଗ୍ୟା ସିଏ ଉପଭୋଗ୍ୟା ହୁଏ
ପରିଚୟ ତାର ବାରାଙ୍ଗନା ,
କାମୁକ ପୁରୁଷ ପ୍ରଣୟ ନିଶାରେ
ପୀରତିରେ ଜଳେ ପୁରାଙ୍ଗନା ।
ଦେହକୁ ବିକଇ ମନକୁ ତୁଟେଇ
ପ୍ରାପ୍ତି ପାଇଁ ମୁଦ୍ରା ଅଙ୍ଗୁରୀୟ ,
ରାତ୍ରୀ ଅଭିସାର ଠିକଣା ନିଜର
ସୌଦାଗର କିଣେ ତା ' ପ୍ରଣୟ ।
କାମନା ଅଗ୍ନିରେ ଭସ୍ମ ସେ ହୁଅଇ
ରାତି ଶେଷ ହେଲେ ସେ ଅଲୋଡ଼ା,
କାମ ସରିଗଲେ ଫିଙ୍ଗି ଦେଇଥାନ୍ତି
ସତେ କି ସେ ଅଯୋଗ୍ୟ କପଡ଼ା ।
ନୁହେଁ କଳୁଷିତ ଅବା ସେ ଦୂଷିତ
ପରିସ୍ଥିତିର ସେ ଦାସୀ ଟିଏ ,
କିଏ ଶୁଣେ ତାର କାହାଣୀ ଦୁଃଖର
ସମସ୍ତଙ୍କ ମୁଖେ ବେଶ୍ୟା ସିଏ ।
କେବେ ପରିବାର କେବେ ବି ନିଜର
ପାଇଁ ବିକି ଦିଏ ଦେହ ତାର ,
ଲମ୍ପଟ ପୁରୁଷ ମରେ ନାହିଁ ଶୋଷ
ଖିନ୍ ଭିନ୍ କରେ ତା ଶରୀର ।
ଯୌବନ ସରିଲେ ସରିଯାଏ ଖେଳ
ପରିଚୟ ତାର ଯାଏ ଲୁଚି ,
ପୁରୁଷ କାମନା ଧୋଇ ଧାଇ ହେଇ
ଆରମ୍ଭ କରାଏ ନୂଆ ସୂଚୀ ।
ଆତ୍ମା ତା ପବିତ୍ର ଶରୀ ଅପବିତ୍ର
ତଥାପି ପବିତ୍ର ତା ଅଗଣା ,
ପୁରୁଷ ବିବେକ ଲଜ୍ୟା ତ୍ୟାଗ କରି
ସ୍ପର୍ଶ କରେ ତାକୁ ନାହିଁ ଜଣା ।
ସେଥିପାଇଁ ତାର ପବିତ୍ର ମାଟିରେ
ମୃଣ୍ମୟୀ ପ୍ରତିମା ଗଢ଼ା ହୁଏ ,
ପବିତ୍ର ବୋଲିତ ସ୍ଵୀକାରିଛି ମାଆ
ଆନ ସରି ତାର କିଏ ହୁଏ ।
ଜଗତ କଲ୍ୟାଣ ନିମନ୍ତେ ନିଜକୁ
ଆତ୍ମ ବଳିଦାନ ଦିଏ ସିଏ ,
କେତେ ବଳାତ୍କାର ନହେଲେ ହୁଅନ୍ତା
ତା ହିସାବ ବା ରଖିଛି କିଏ ।
