ବାପୁ ତୁମେ ଚାଲିଗଲା ପରେ
ବାପୁ ତୁମେ ଚାଲିଗଲା ପରେ
ବାପୁ ତୁମେ,ଚାଲିଗଲା ପରେ
ଉଇଁନି ସତ୍ୟର ଭାନୁ ମୋ ଦେଶ ଅମ୍ବରେ
ଅସତ୍ୟ ଯାତୁଧାନର ଅଟ୍ଟହାସ୍ୟ ଡରେ
ସତ୍ୟଲୁଚି ଅଛି କେଉଁ ଅଜ୍ଞାତ ବାସରେ
ବାପୁ ତୁମେ ଚାଲି ଗଲା ପରେ ।
ଅହଂ, ହିଂସା, କାମ, କ୍ରୋଧ, ମଦ ଲାଳସାରେ
ସବୁ ଏଠି କବଳିତ ତୁମେ ଗଲା ପରେ
ହେ ମହା ମାନବ ଆସି ଦେଖିଯାଅ ଥରେ
ଏମିତି ଚିତ୍ର କି ଆଙ୍କିଥିଲ କଳ୍ପନାରେ
ବାପୁ ତୁମେ ଚାଲି ଗଲା ପରେ ।
ଅନୁଜ ମାରଇ ଛୁରୀ ଅଗ୍ରଜ ଗଳାରେ
ସମ୍ପତ୍ତି, ପ୍ରତିପତ୍ତି ର ସଂକୀର୍ଣ୍ଣ ମୋହରେ
ପିତା ମାତା ଜରାଶ୍ରମେ ପୁତ୍ର ଆଡମ୍ବରେ
ନବ ବଧୁ ଦଗ୍ଧ ଆଜି ଯୌତୁକ ଜୁଇରେ
ବାପୁ ତୁମେ ଚାଲି ଗଲା ପରେ ।
ନା
ବାଳିକା ଜଳିଯାଏ କାମନା ବହ୍ନିରେ
ପିତୃ ତୁଲ୍ୟ ପିପାସୁ ର ଲୋଲୁପ ଦୃଷ୍ଟିରେ
ନାରୀ ଆଜି ଭୂ-ଲୁଣ୍ଠିତା କାମନା ସ୍ପର୍ଶରେ
ଏକା ଚାଲିବାକୁ ଡରେ ରାଜ ପଥ ଧାରେ ।
ବାପୁ ତୁମେ ଚାଲି ଗଲା ପରେ ।
ମୋ ଦେଶ କୃଷକ ମରେ ଭୋକ ଉପାସରେ..
ଅଯୋଗ୍ୟ ପାଏ ସମ୍ମାନ ଅର୍ଥର ବଳରେ
ଯୋଗ୍ୟତ୍ତମ ହୀନିମାନ ହୁଅଇ ଏଠାରେ
ଏମିତି ଛବି କି ଆଙ୍କି ଥିଲ କଳ୍ପନାରେ
ବାପୁ ତୁମେ ଚାଲିଯିବା ପରେ ।
କୁଟି ଖାଇ କାଟି କେହି ପିନ୍ଧେନା ଏଠାରେ
ସର୍ବେ ଆଜି ଆକର୍ଷିତ ବିଦେଶୀ ଚିଜରେ
ହେ ସତ୍ୟ ଧର୍ମ ସାରଥୀ ଫେରି ଆସ ଥରେ
ତୁମ ଉପସ୍ଥିତି ଲୋଡ଼ା ମୋ ଦେଶ ମାଟିରେ
ବାପୁ ତୁମେ ଚାଲି ଗଲା ପରେ ।