ବାପା
ବାପା
ବାପା ବିନ୍ଦୁ ବିନ୍ଦୁ ନୀଳ ବାରିଧାରା
ସରାଗର ସାତସୁର ।
ବାପା ବିନ୍ଦୁ ବିନ୍ଦୁ ନୀଳ ବାରିଧାରା
ସରାଗର ସାତସୁର
ସହନ୍ତି ସୁଉଚ୍ଚ ହିମାଳୟ ପରି
ସମ୍ବେଦନ ପାରାବାର ।
ବାପା ଯଜ୍ଞକୁଣ୍ଡ ଅମୃତର ଭାଣ୍ଡ
ଦରଦରେ ଦାନବୀର,
ଘନ ଅନ୍ଧାରେ ସେ ଟିକ୍ ଟିକ୍ ଶବ୍ଦ
ଘଣ୍ଟା ସମ ନିରନ୍ତର ।
ଚିରିଲେ ବି ଛାତି ଚରୁ ଦିଅନ୍ତି ସେ
ନିରୁତାରେ ଆଜୀବନ,
ଚାରୁ ଚନ୍ଦ୍ରମା ସେ ଚରିତ୍ର ଭିତରେ
ମିଠା ମିଠା ସମ୍ମୋହନ ।
ବାପା ବପୁବନ୍ତ ଗିରି ମାଲ୍ୟବନ୍ତ
ସୌନ୍ଦର୍ଯ୍ୟର ଗନ୍ତାଘର,
ଅପାର କରୁଣା ମଧୁର ଝରଣା
ଅନ୍ତାକ୍ଷରୀ ଭାବଡୋର ।
ଯାହାକଂ ବିଶାଳ ଉଚ୍ଚତାକୁ ମର୍ତ୍ତେ
ହୁଏ ନାହିଁ କେବେ ଛୁଇଁ,
ନିଃସନ୍ଦେହେ ସିଏ ଆପଣାର ବାପା
ଅର୍ପଣର ମହାନଈ ।
ବିନା ପ୍ରବେଶରେ ଚାଟଶାଳୀ ହତା
ବିଦ୍ଵାନସେ ବାଣଭଟ୍ଟ,
ବିଧି ବ୍ୟବସ୍ଥାର ହାମୁରାବି ଆହା
ଚେତନାର ଚିତ୍ରପଟ୍ଟ ।
ବାପା ଆମ ପାଇଁ ଅଖଣ୍ଡ ଦୀପର
ବଳିଦାନ ଲହୁଲୁହ,
ଜାଳି ଦେବା ଆସ କୋଟି ଦୀପ ଛୁଇଁ
ଦିବ୍ୟ ଦେବତାଙ୍କ ଦେହ ।

