ବାଲିଘର
ବାଲିଘର
ଇଟା ଗୋଡି ବାଲି ସିମେଣ୍ଟରେ ସିନା
ତୋଳିହୁଏ ଅଟ୍ଟାଳିକା
ସେ ଅଟ୍ଟାଳିକାକୁ ଘର କହିବାକୁ
ମନରେ ପଶୁଛି ଦକା I
କେତେକାଳ ଧରି ବାଲିଘର ଟିଏ
ତୋଳୁଛି ସାଗର କୂଳେ
ସରି ପାରୁନାହିଁ ଏଯାଏ ସେଘର
ଆଖିରୁ ସପନ ସରେ I
ସେ ଘର ପାଇଁକି ହୃଦୟ କାନ୍ଦିଛି
ଲୁହରେ ଭରିଛି ଆଖି
ଜୀବନ ନଈରେ ପହଁରା ଶିଖିଛି
କୂଳ ପାରିନାହିଁ ଦେଖି I
ଅଧିର ହେଲାଣି ସାଗରର ଜଳ
ନାଚନ୍ତି ଲହରୀ ମାଳା
ସପନ ନଉକା ଟଳ ମଳ ହୁଏ
ସରେନାହିଁ ଘରତୋଳା I
ପ୍ରେମର ରଙ୍ଗରେ ରଙ୍ଗେଇବି ପ୍ରିୟା
ମୋ ସ୍ୱପ୍ନର ବାଲିଘର
ତୁମପାଇଁ ସେତ ଘର ହେବନାହିଁ
ହୋଇବ ସରଗ ପୁର I
ନିଜ ହାତରେ ମୁଁ ଶେଷ ସ୍ପର୍ଶ ଦେବି
ଦେଖିବେ ଜଗତ ଲୋକ
ଦେଖିବା ଲୋକତ ଚାହିଁ ରହିଥିବେ
ଭୁଲିଯିବେ ପେଟଭୋକ I
ବାଲି ନଅରରୁ ଯେଦିନ ଶୁଭିବ
ତୁମ ପ୍ରୀତିଭରା ସ୍ୱର
ନୀଳ ସାଗରରେ ଜୁଆର ଉଠିବ
ଛୁଇଁ ପାରିବନି କୂଳ I