ବାଇ ବସା ନଷ୍ଟ ନ ହେଉ
ବାଇ ବସା ନଷ୍ଟ ନ ହେଉ
ବାଇ ଚଢ଼େଇ ମା',ବସା ଭିତରେ ଶାବକ
ପ୍ରତି ମୁହୂର୍ତ୍ତରେ ବିପଦ ରହିଛି
ଆମ ବସା ଏ ମଣିଷଙ୍କ ପାଇଁ କୌତୁକିଆ
ଚାହୁଁ ଚାହୁଁ ଟାଣି ଓଟାରି ନେଉଛି ।
ମୋତେ ହିଁ ସୁରକ୍ଷା ପାଇଁ ପ୍ରହରୀ ହେବାକୁ
ଆଜିକାଲି ନିହାତି ପକ୍ଷେ ଜରୁରୀ
ଆମ ଝୁଲା ବାଇ ବସା ସଭିଙ୍କୁ ପସନ୍ଦ
କିଛି ଅପରାଧ ନ କରି ବଇରୀ ।
ଜଣାନାହିଁ କେତେବେଳେ କଣ ଘଟିଯିବ
ଆମ ପାଖେ ସେମିତି ନାହିଁ ସୂଚନା
ଝଡ ଠାରୁ ଭୟଙ୍କର ଏ ମଣିଷ ଜାତି
ଆମ ବସା କରିଦେବ ପିଲାଙ୍କ ଖେଳନା ।
ଆମ ବଂଶଧର ଏହିପରି ବସା ବାନ୍ଧି
ରହୁଥିଲେ ଉଚ୍ଚା ଗଛ ଡାଳରେ
ଝଡ ତୋଫାନ ଦାଉରୁ ରକ୍ଷା ପାଉଥିଲେ
ଧରା ପଡୁଥିଲେ ମଣିଷ ହାତରେ ।
ବାଇ ଚଢ଼େଇ ବସା ପାଇଁ କବିତା ଗୀତ
ଶୁଣି ଅଛି ଥରେ ନୁହଁ,ବହୁ ଥର
ଗପ କହି ମଣିଷ ତା ପିଲାକୁ ଶୁଆଇ
ଆତ୍ମ ତୃପ୍ତି ପାଉଛି ଥର କୁ ଥର ।
ଉଦୁଉଦିଆ ଖରାବେଳେ ସତର୍କ ସହ
ଚାରିଆଡେ ଲକ୍ଷ୍ୟ କରିବା ଜରୁରୀ
ଆଜିକାଲି ଆମ ବାଇ ଚଢେଇ ବସା
ପିଲା ଅବା ବୁଢ଼ା ଶରଧା ସବୁରି ।
ବାଇ ଚଢ଼େଇ ବସାର ତିଆରି କୌଶଳ
ବାଇ ଚଢ଼େଇଙ୍କ ପାଖରେ ସିମୀତ
କେତେ ପରିଶ୍ରମ ପୁଣି ସାମଗ୍ରୀ ଯୋଗାଡ
ଉଚ୍ଚା ଗଛ ଡାଳରେ ହୁଏ ନିର୍ମିତ ।
ହେ,ମଣିଷ ଜାତି,ଆମକୁ ସୁରକ୍ଷା ଦିଅ
ଆମ ବସା ଦେଖି ନଷ୍ଟ କର ନାହିଁ
ବସା ଭିତରେ ଆମର ଶାବକ ଅଛନ୍ତି
ତାଙ୍କ ପାଇଁ ଆଖିକୁ ନିଦ ବି ନାହିଁ ।
ବାଇ ଚଢ଼େଇ ବାଇ ହୋଇ ନିର୍ଭୟରେ ରହୁ
ମଣିଷର ଦୟା ଦୃଷ୍ଟି ରହି ଥାଉ
ଏ ନିବେଦନ ସହିତ ପ୍ରାର୍ଥନା କରୁଛୁ
ବାଇ ବସା ଆଉ ନଷ୍ଟ ନ ହେଉ।
