STORYMIRROR

Prasanna Kumar Madala

Tragedy

2  

Prasanna Kumar Madala

Tragedy

ବାହୁନି କାନ୍ଦିବି ନାହିଁ

ବାହୁନି କାନ୍ଦିବି ନାହିଁ

1 min
374

ତୁମେ ତ ନଥିଲ    କିଛି ଦିନ ଧରି

ଚଳୁଥିଲି ଏକୁଟିଆ

ଅନତି ଦୂରରେ    ଡାଳେ ବସିଥିଲା

ନିଃସଙ୍ଗ ବିରସ ଟିଆ

ଗତିବିଧି ତା'ର    ଲକ୍ଷ୍ୟ କରୁଥିଲି

ଝରକା ଫାଙ୍କରୁ ଟାକି

ଜଳଜଳ ହୋଇ   ଭବିଷ୍ୟ ଦିଶିଲା

କପାଳେ ଅଛି ଯା' ବାକି

ଆଜିଯାଏଁ ଯେତେ   ଅତିକ୍ରମ କଲି

ଚଲାପଥେ ଢିପଖାଲ

ସୁଖଦୁଃଖ କଥା   ପଛରେ ପକେଇ

ହାତ ଧରି ତୁମେ ଚାଲ

ମାଆଙ୍କ ବିୟୋଗେ ମାଗୁଣି ବାପାଙ୍କ

ଅନ୍ତର ବେଦନା କଥା

ଶୁଣିଲା ପରେ ଗୋ ଭାଙ୍ଗି ଯାଉଛି ମୁଁ

ଘୂରେଇ ଦେଉଛି ମଥା

ବିବିଧ ବିଦ୍ୟାରେ ଦକ୍ଷତା ମୋ' ସିନା

ହୋଇନାହିଁ ଅବସାନ

କେମିତି ଭୁଲିବି    ପ୍ରଚ୍ଛଦ ପଟରେ

କେତେ ତୁମ ଅବଦାନ

ପାରିବାରପଣ   ନାହିଁ ବୋଲି କହି

ବାଛିଛି ଯେତିକି ଖୁଣ

କେଉଁଠି ତଥାପି   ହରାଇ ଦେଇନ

ସହନଶୀଳତା ଗୁଣ

ପରିବାର ପାଇଁ    ବିରାମ ନନେଇ

ସେନେହ ଦେଇଛ ବାଣ୍ଟି

ଆମର ଜାଗ୍ରତ  ନେଉ ନେଉ ନିଜେ

ରୋଗରେ ହେଉଛ ଘାଣ୍ଟି

କିଏ ଜାଣେ କେବେ  ଚାଲିଯିବ ଯଦି

ଅଧାବାଟେ ହାତ ଛାଡି

ଟିଆ ପକ୍ଷୀ ତୁଲ  ନିଃସଙ୍ଗ ଜୀବନେ

ପାସୋରିବି ଘରବାଡ଼ି

ତାରା ଗଣି ପଛେ  କାଳ କଟୁ ମୋର

ଯାତନାର ନଭେ ଚାହିଁ

କଥା ମୁଁ ଦେଉଛି ଆଗକୁ କେବେ ବି

ବାହୁନି କାନ୍ଦିବି ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy