ବାହୁଡା ଯାତ୍ରା
ବାହୁଡା ଯାତ୍ରା
କାନ୍ଦୁଛି ଗୁଣ୍ଡିଚା ଆଜି କାନ୍ଦୁଛି ଭକତ
ମନ ଆବେଗରେ ଚାହିଁ ଛନ୍ତି ଲକ୍ଷ୍ମୀ ମାତ
ଝରି ଯାଏ ଲୁହ ଧାର ଭକତ ଆଖିରୁ
କଥା ନ ସ୍ଫୁରଇ ଆଉ ମାଉସୀ ଓଠରୁ
ପାଖରୁ ମୋ ଚାଲି ଯିବ
ବାହୁଡା ଯାତ୍ରା କରିବ
ଟାଣିବେ ରଥ ଦଉଡି ଚାହିଁ ଛନ୍ତି ଭକ୍ତ
କାନ୍ଦୁଛି ଗୁଣ୍ଡିଚା ଆଜି କାନ୍ଦୁଛି ଭକତ ।
କେତେ ଶରଧାରେ ଆସି ଥିଲେ ପାଶେ ମୋର
ଚାଲି ଯାନ୍ତି ଏକା କରି ମୋତେ ଶ୍ରୀମନ୍ଦିର
ସତେକି ମୋ କଳା କାହ୍ନୁ ମୋ ପାଶେ ଆସିବ
ଭାଇ ଭଉଣୀକୁ ଧରି ମାଉସୀ ଡାକିବ
କେତେ ଶୀଘ୍ର ଦିନ ଗଲା
ନଅ ଦିନ ଆସି ହେଲା
ଦକ୍ଷୀଣ ମୋଡ କରି କି ଚାଲି ଯାଏ ସେ ତ ।
ଭକତଠୁ ପ୍ରଭୁ ଆଜି ବିଦାୟ ଆଣନ୍ତି
ଶ୍ରୀମନ୍ଦିର ଚାହିଁ ଲକ୍ଷ୍ମୀ ମନରେ ଭାବନ୍ତି
ପ୍ରଭୁଙ୍କ ବିରସ ଦେଖି ଲକ୍ଷ୍ମୀ ହସୁ ଥାନ୍ତି
କେତେ କଷ୍ଟ ଲାଗେ ପ୍ରଭୁ ଏବେ ବୁଝି ଛନ୍ତି
ମୋତେ ଛାଡି ଯାଇଥିଲେ
ଏବେ ପାଶେ ମୋ ଫେରିଲେ
କେମିତି ବୁଝେଇବେ ସେ ଦେଖିବି ଭକତ ।
ରଥଯାତ୍ରା କରୁଥିଲେ କେତେ ଖୁସି ମନେ
ଫେରିଲା ବେଳକୁ ଲୁହ ଝରୁଛି ନୟନେ
ଆଖି ଲୁହ ଛଳ ଛଳ ହାତ ତ ଥରୁଛି
ପ୍ରଭୁଙ୍କୁ ଛାଡିବା ପାଇଁ ନା ମନ ବଳୁଛି
କାନ୍ଦେ ଗୁଣ୍ଡିଚା ମନ୍ଦିର
ହସେ ଦେଖ ଶ୍ରୀମନ୍ଦିର
ହସୁଛିରେ ପତିତପାବନ ତାର ନେତ
କାନ୍ଦୁଛି ଗୁଣ୍ଡିଚା ଆଜି କାନ୍ଦୁଛି ଭକତ ।
ତିନି ରଥେ ତିନି ଦିଅଁ ବସି ଫେରୁଛନ୍ତି
ଅଧା ହସ ଅଧା କାନ୍ଦେ ରଥ ଟାଣୁ ଥାନ୍ତି
ଆଗେ ବଳଭଦ୍ର ମଧ୍ୟେ ସୁଭଦ୍ରା ଭଉଣୀ
ପଛରେ କାଳିଆ ଆସେ ଅନୁଭୂତି ଗୁଣୀ
ଆର ବରଷ ମାଉସୀ
ଭକ୍ତ ଦେଖି ହେବ ଖୁସି
କରିବ ରଥ ଯାତରା ତା ବାହୁଡା ଯାତ
କାନ୍ଦୁଛି ଗୁଣ୍ଡିଚା ଆଜି କାନ୍ଦୁଛି ଭକତ ।
ତାଳଧ୍ୱଜ ରଥେ ବଳଭଦ୍ର ବସିଛନ୍ତି
ଦେବ ଦଳନେ ସୁଭଦ୍ରା ଭକତ ଦେଖନ୍ତି
ନନ୍ଦିଘୋଷ ରଥେ ଜଗନ୍ନାଥ ଛନ୍ତି ରହି
ଦାରୁକ ଯେ ଧିରେ ଧିରେ ରଥ ନିଏ ବାହି
କେତେ ଖୁସି ଲାଗୁ ଥିଲା
ପୋଡପିଠା ମଜା ଥିଲା
ଆର ବର୍ଷ ବଡ ଦାଣ୍ଡେ ଦେଖିବି ଭକତ ।
ଆଠ ଦିନ କହି ମଥୁରାକୁ ଆସିଥିଲା
ଆଉ ଗୋପପୁର କାହ୍ନୁ ନା କେବେ ଫେରିଲା
ହେଲେ ଭକ୍ତ ମାଉସୀକୁ ନ ଠକି ପାରୁଛି
ବରଷକୁ ଥରେ ଗୁଣ୍ଡିଚା ମନ୍ଦିର ଆସୁଛି
ଦେଖୁଛି ଭକତ ତାର
ବଡ ଦାଣ୍ଡେ ଚକ୍ରଧର
ଡାହୁକ କଥା ଶୁଣି ହେଉଛି ଉସତ
କାନ୍ଦୁଛି ଗୁଣ୍ଡିଚା ଆଜି କାନ୍ଦୁଛି ଭକତ ।
ଘୋଷଯାତ୍ରା ଆଷାଢର ଶୁକ୍ଳ ଦ୍ୱିତୀୟାରେ
ବାହୁଡା ଯାତ୍ରା ତା ହୁଏ ଶୁକ୍ଳ ଦଶମୀରେ
ଯାତ୍ରା କାଳେ ଭକ୍ତ ଖୁସି ଲକ୍ଷ୍ମୀ ଦୁଃଖୀ ହ୍ୱନ୍ତି
ବାହୁଡାରେ ମାତା ଖୁସି ଭକ୍ତ କାନ୍ଦୁଥାନ୍ତି
ମାନବୀୟ ଲୀଳା ପ୍ରଭୁ
କରୁଥାନ୍ତି କୃପାସିନ୍ଧୁ
ତୁମ୍ଭ ପାଦେ ଗଲି ପ୍ରଭୁ ମୁଁ ଶରଣାଗତ
କାନ୍ଦୁଛି ଗୁଣ୍ଡିଚା ଆଜି କାନ୍ଦୁଛି ଭକତ ।
