ବାଘ ମାମୁଁ
ବାଘ ମାମୁଁ
ବଣକୁ ଯିବୁ କୋଳି ଖାଇବୁ
ବାଘ ଆସିଲେ ଡରିବୁ ନାହିଁ,
ଗପ କହିଲେ କୁନାକୁ ବାପା
ବାଘ ମାମୁଁର କାହାଣୀ ଏହି ।
ଦିନଟି ଥିଲା ବହୁପୂର୍ବରୁ
ଜଙ୍ଗଲ ହସୁଥିଲା,
ସେଇ ବଣରେ ବାଘ ମାମୁଁର
ରାଜତ୍ଵ ଚାଲୁଥିଲା ।
ବାଘଟି ଥିଲା ଜଙ୍ଗଲ ରଜା
ବହୁତ ରାଗୀ ଥିଲା,
କଥାକଥାକେ ଜୀବଜନ୍ତୁଙ୍କୁ
ମାରି ସେ ଖାଉଥିଲା ।
ଦିନକୁ ଦିନ ଅନ୍ଯାୟ ତାର
ସୀମା ତ ଟପୁଥାଏ,
ବଣର ଜୀବଜନ୍ତୁଙ୍କ ମଧ୍ଯେ
ଭାଳେଣୀ ପଡିଯାଏ ।
ସମୟ ଦେଖି ବଣ ଛାଡ଼ିଲେ
ବଣର ପଶୁପକ୍ଷୀ,
ବାରହା,ମଇଁଷି,ମୂଷା,ଠେକୁଆ
ହୋଇ ସେ ଡକାଡକି ।
ମଣିଷ ସଙ୍ଗେ ମିତ ବସିଲେ
ରହିଲେ ଆମ ସାଥେ,
ଆମରି କଥା ବୋଲ ମାନିଲେ
କାମ ବି କଲେ କେତେ ।
ଦିନକୁ ଦିନ କମିଚାଲିଲେ
ବଣରୁ ଜୀବଜନ୍ତୁ,
ଘଞ୍ଚ ଜଙ୍ଗଲେ ପେଟ ଭୋକରେ
ବାଘ ବସିଛି କିନ୍ତୁ ।
ଭୋକ ଉପାସେ ରୋଗରେ ପଡ଼ି
ବାଘ କେତେକ ମଲେ,
ମଣିଷ ପୁଣି ଆଣିଲା ଧରି
ଆଉ ଯେତେକ ଥିଲେ ।
ଚିଡିଆଖାନା ମଧ୍ୟରେ ନେଇ
ରଖିଲା ବନ୍ଦୀ କରି,
ବଡ଼ ଦୁଃଖରେ ଅଛନ୍ତି ବାଘ
ଆଖିରୁ ଲୁହ ଢାଳି ।
ବଣରେ ବାଘ ଏବେ ତ ନାହିଁ
ଡରୁଛୁ କାହିଁ ପାଇଁ,
ଆମରି ମଧ୍ୟେ ଲୁଚି ଅଛନ୍ତି
ଅସଲ ବାଘ ସେହି ।
ଏଇ ମଣିଷ ସାଜୁଛି ହିଂସ୍ର
ସେଇ ତ ବଡ଼ ବାଘ,
ନିମିଷେ ଅନ୍ଯ ରକ୍ତ ପିଉଛି
ନ ଭାବି ଆଗ ପଛ ।
ବାଘ ନ ଖାଇ ବଉଳା ଗାଈ
ସେଦିନ ଛାଡିଦେଲା,
ଆଜି ମଣିଷ ଛାଡି ବିଶ୍ଵାସ
ବାଘଠୁଁ ବଳିଗଲା ।
ବାଘ ମାମୁଁ କି ପୁଲିସି ମାମୁଁ
ହେଉକି କଂସମାମୁଁ,
ସବୁ ମାମୁଁଙ୍କ ଭିତରେ ଭଲ
ଆମରି ଜହ୍ନ ମାମୁଁ ।
ମାଆଙ୍କ ଭାଇ ମାମୁଁ ଆମର
ସେ ଅତି ଆପଣାର,
ଶକୁନି ମାମୁଁ ଭାରି ଡେଞ୍ଜର
ଭାଙ୍ଗେ ସୁନାର ଘର ।
ସେ ନୁହେଁ ବଡ଼ ପ୍ରାଣ ଅନ୍ୟର
ଯେ ନଷ୍ଟ କରୁଥାଏ,
ସେ ଏକା ବଡ଼ ଭଲ ମନ୍ଦରେ
ପାଖେ ଯେ ଠିଆହୁଏ ।
ବାପାଙ୍କ ଗପ ଶୁଣିଣ କୁନା
ହୁଁ ଟି ମାରୁଥିଲା,
ଓହଳି ପଡି ବାପାଙ୍କ ଗାଲେ
ଚୂମାଟି ମାରିଦେଲା ।
କହିଲା କୁନା ମୁଁ ବଡ଼ ହେବି
ହେବିନି ବାଘ ପରି,
ଅନ୍ୟ ପାଇଁକି ଜୀବନ ଦେବି
ଯିବିନି କେବେ ଡରି ।
