STORYMIRROR

Sambit Srikumar

Romance Classics Inspirational

4  

Sambit Srikumar

Romance Classics Inspirational

ଅସଫଳ ପ୍ରେମିକ

ଅସଫଳ ପ୍ରେମିକ

4 mins
511

ତୁମକୁ ଯେବେ ଦେଖିଲି

ଜୀବନେ ଅନତି ଦୂରରୁ ପହିଲିବାର

ମୋ ହୃଦୟ ସ୍ପନ୍ଦିତ ହେଲା ବାରମ୍ବାର

ତୁମ ପ୍ରାକୃତିକ ଗୋଲାପି ଓଠ

ମୋ ମନେ ଭରି ଦେଲା

ନିର୍ଲୋଭ ଅନାସକ୍ତ ସନ୍ନ୍ୟାସ ।


ସତେ ଅବା ତୁମେ କାକର

ଭିଜା ରକ୍ତାଭ ଗୋଲାପ

ତୁମ୍ଭ ସଂଦର୍ଶନରେ ଭରିଗଲା

ତନୁ ମନେ ବୈରାଗ୍ୟ ଭାବ

ଆଖିରେ ପଡିଲା ନାହିଁ ପଲକ

କି ରାତିରେ ଆସିଲା ନାହିଁ ନିଦ

କେଉଁଥିରେ ବି ଲାଗିଲାନି ମନ

କେବଳ ତୁମ ବ୍ୟତୀତ ।


ବିଶ୍ବାସ କର, ସତ କହୁଛି

କେବେ ବି ମୁହିଁ କରି ନାହିଁ

ତିଳେ ମାତ୍ର ଚେଷ୍ଟା

ତୁମ ସାଥେ ହେବା ପାଇଁ

ଦୁଇ ପଦ କଥାଭାଷା

ତୁମ ଆୟତ ଆଖିରେ

ମିଶାଇବା ପାଇଁ ମୋର ଆଖି

ହେଲେ ତୁମ କଥା ମନେ

ପଡିବା ମାତ୍ରକେ ମୋ ହୃଦୟ

ସ୍ପନ୍ଦିତ ହୁଏ ବାରମ୍ବାର

ତୀବ୍ର ପ୍ରଳୟ କମ୍ପନ ପରାୟ ।


ମୋ ମନର ଅବ୍ଯକ୍ତ ଭାବକୁ

କାଳେ ସଭିଏଁ ନାମିତ

କରିଲେ 'ପାଗଳାମୀ'ରେ

ଏହି ପାଗଳାମୀ ହିଁ

ମୋ ପାଇଁ ପ୍ରେମ

ଶାଶ୍ୱତ ନୈସର୍ଗିକ ଚିରନ୍ତନ

ଭାବୋଛ୍ବାସ ମୋ ହୃଦୟର

ମୋର ଜାଗତିକ ସତ୍ତାର ।


ପ୍ରେମ ତ ପ୍ରେମ!

ନିରୁତା ଭଲପାଇବା

ଆନ ପାଇଁ ଜୀଇଁବା ମରିବାର

ଶୁଦ୍ଧ ପୁତ ବିଶୁଦ୍ଧ ଭାବ

ଇଏ ତ କେଉଁ ପରୀକ୍ଷା

କି ପ୍ରତିସ୍ପର୍ଦ୍ଧା ନୁହେଁ ଯେ,

ଏଥି ବ୍ଯାପାରରେ ସାଫଲ୍ୟ ମଣ୍ଡିତ

ହେବା ନିହାତି ଜରୁରୀ

ଏକାନ୍ତ ଅପରିହାର୍ଯ୍ୟ ଅନିର୍ବାର୍ଯ୍ଯ ।


ପ୍ରେମ ତ ପଣ୍ଯଟିଏ ନୁହେଁ ଯେ,

କେଉଁ ସୁରମ୍ୟ ସୌଖିନ୍ ବିପଣିରୁ

ଆଣିବି ଅବା ମୁଁ କିଣି ସ୍ବେଚ୍ଛାରେ

ଆପଣା ମନ ମୁତାବକ

ପ୍ରଚୁର ଅର୍ଥର ବିନିମୟରେ ।


ପ୍ରେମ ତ କେଉଁ ନାମୀଦାମୀ

ବିଦେଶୀ ବିଶ୍ୱବିଦ୍ୟାଳୟର

ଡିଗ୍ରୀ ବି ନୁହେଁ ଯେ,

ଅହର୍ନିଶି ପଢି ପଢି ରଟି ରଟି

ଉପାଧି ହାସଲ କରିନେବି

ଲାଗିପାତି କେଇଟା ବର୍ଷରେ ।


ପ୍ରେମ ତ କେଉଁ ଭୂଖଣ୍ଡ

ଅବା ଭୂମିର ଟୁକୁଡ଼ା ନୁହେଁ ଯେ,

କଳ ବଳ କୌଶଳ ପ୍ରୟୋଗରେ

ଲୁଟି ନେବି ଅକ୍ଲେଶରେ

ଅବା ଅସଂଖ୍ୟ ପ୍ରାଣ ନାଶି

ରକ୍ତର ନଦୀ ବୁହାଇ

ମୁଁ ଜିତି ନେବି ଆପଣା ସାମର୍ଥ୍ୟରେ ।


ମୋ ପାଇଁ ତ ପ୍ରେମ

କେବଳ ଏକ ବିଶୁଦ୍ଧ ଅନୁଭବ

କିପରି କରିବି କୁହ ବର୍ଣ୍ଣନା

ତାହାର ଆକାର ପ୍ରକାର

ସୂକ୍ଷ୍ମ ଅବା ସ୍ଥୁଳ ସ୍ବରୂପ ।


ହଁ, ଅବଶ୍ୟ ଆଜିକାଲିର

ବଜାରବାଦୀ ଅର୍ଥନୀତିରେ

ବେଶ୍ ମହରଗ ଏଇ ପ୍ରେମ

ଅଭାବୀ ମଣିଷ ପାଇଁ

ଅପହଞ୍ଚ ଦୂରତାରେ

ଶସ୍ତା ଏଠି ମଣିଷପଣିଆ

ଯୌବନ ତ ଅଢେଇଦିନିଆ

ଦେହ ବିନା ସବୁ ଲାଗେ

ତୁଛ ପାଣିଚିଆ ।


ହଁ, ଏହା ତ୍ରିବାର କାହିଁକି

ଶତବାର ସହସ୍ରବାର ସତ୍ଯ

ମୁଁ ପ୍ରେମ କରେ ତୁମକୁ

କେବଳ ହିଁ କେବଳ ତୁମକୁ

ନିଶିଥର ବିଜନ ନିର୍ଜନ ପ୍ରହରରେ

ଜହ୍ନ ତାରା ଗହଣରେ ଏକାନ୍ତରେ ।


ହେଲେ ଏଇ ବସ୍ତୁବାଦୀ ଦୁନିଆ

ମୋତେ କହେ କଣ ଜାଣିଛ

"ପାଗଳ!"

ଆଉ କେତେକ କୁହନ୍ତି

ମୁଁ ଗୋଟେ ସଚ୍ଚା ପ୍ରେମିକ

ଭୋଗିବାରେ ନୁହେଁ ତ୍ଯାଗିବାରେ

ଦୃଢ଼ ଅଟଳ ବିଶ୍ବାସୀ ।


ଅମାନିଆ ମନଟା ମୋହର

ମାନେ ନାହିଁ କାହାରି କଥାରେ

ଖିଆଲ ସପନରେ ଅବା

ଜାଣତ ଅଜାଣତରେ

ଲେଖି ବସେ ମୁଁ କବିତା

ତୁମ କଥା ବଖାଣିବା ପାଇଁ

କାଗଜର ଧବଳ ପୃଷ୍ଠାରେ ।


ହେଲେ ମୁଁ ପାରେନି

ଶତ ଚେଷ୍ଟା କରି ବି

ହୁଏ ବିଫଳ ବାରମ୍ବାର

କାହିଁକି କଣ ପାଇଁ

କେହି ବି ଜାଣନ୍ତି ନାହିଁ

କି ମୁଁ ବି ଜାଣି ପାରେ ନାହିଁ ।


ମୁଁ ଯେ ତୁମକୁ ଦେଖି ନାହିଁ

ବେନି ନୟନରେ ଭଲ କରି

କିନ୍ତୁ ଭଲ ପାଇଛି ମନ ଭରି

କୁହ କେମିତି ବା ବଖାଣିଥାନ୍ତି

ତୁମ୍ଭ ଅପରୂପା ରୂପକଳ୍ପ

ମୁହିଁ ତ ନୁହେଁ ଗୋଟେ ରୂପକାର

କି ରୂପ ରଙ୍ଗର ସୌଦାଗର ।


ମୋର ତମାମ କଳ୍ପନା ବିଳାସ

କେଜାଣି କାହିଁକି ହାର୍ ମାନେ

ତୁମ୍ଭର ଅପରିକଳ୍ପନୀୟ ସୌନ୍ଦର୍ଯ୍ୟ ପାଶରେ

ତୁମେ ମୋ ଚିନ୍ତା ଚେତନାକୁ

କାଳ ବୈଶାଖି ଝଡ଼ ପରି

ତିଳ ତିଳ କରି ବିପର୍ଯ୍ୟସ୍ତ କର

ମୋର ଭାବୁକତାକୁ

ତୁମେ ଧ୍ବସ୍ତ ବିଧ୍ବସ୍ତ କର ।


ମୋର ଅନ୍ତରକୁ ତୁମର ଭାବନା

ତୁମର ଅନାବନା କଥା ସବୁ

ବିଦୀର୍ଣ୍ଣ କରି ପକାଏ

ମୁଁ ତୁମ ପାଖରେ ତୁମ ଚଉପାଶେ

ଚିରକାଳ ବନ୍ଦୀ ହୋଇ ରହିଯାଏ

ତୁମ ରୂପର କାଉଁରୀ ମୋହରେ

ତୁମ ଅନାବିଳ ପ୍ରେମରେ

ତୁମ ପ୍ରିତୀର ନାଗପାଶରେ ।


ହଁ, ଆଜି ବି ବୟସର

ଅପରାହ୍ନରେ ହୋଇ ଉପନୀତ

ବେଶ୍ ସ୍ପଷ୍ଟ ଭାବେ ଦୃଢ଼ତାର ସହିତ

ମୁଁ ସର୍ବ ସମୀପରେ ସ୍ବୀକାର କରୁଛି

ଛାତିରେ ହାତ ରଖି କହୁଛି

ମୁଁ ପ୍ରେମ କରେ ତୁମକୁ

କେବଳ ହିଁ କେବଳ ତୁମକୁ

ତୁମ ବ୍ଯତିରେକ ଆଉ

କାହାରିକୁ ବି ନୁହେଁ

ଏପରିକି ନିଜକୁ ବି ନୁହେଁ ।


ମୁଁ ପ୍ରେମ କରେ ତୁମକୁ

ତୁମ ନିରିମାଖି ନିରିହପଣକୁ

ତୁମ ମନର ସରଳତାକୁ

ତୁମ ଆକାଶଚୁମ୍ବୀ ବିଶାଳ ହୃଦୟକୁ

ତୁମର ସ୍ଫଟିକ ସମ ସ୍ବଚ୍ଛ ଅନ୍ତରକୁ

ସେଇ ତ ହିଁ ତୁମରି ଅଦ୍ବିତୀୟ

ଅନନ୍ଯ ଅତୁଲ୍ୟ ଅନିନ୍ଦ୍ୟ ସୌନ୍ଦର୍ଯ୍ୟ

ଶାରୀରିକ ଗଠନରେ ବା କଣ ଅଛି

ସେ ତ ମାତ୍ର କ୍ଷଣସ୍ଥାୟୀ

ଆଜି ଅଛି କାଲିକୁ ନାହିଁ ।


ଏଣୁ ଏଇ ଭୋଗବାଦୀ ଦୁନିଆ

ମୋତେ ଛିଗୁଲେଇ କହେ "ପାଗଳ"

ହେଲେ ମୋ ଖିଆଲି ମନ ମାନେନା

ଅମାନିଆ ଲଗାମହୀନ ମନକୁ

ମୁଁ ଢେର୍ ବୁଝାଏ ବୋଧ ଦିଏ

ବାପଧନ କହି ତୁନି କରାଏ

କିନ୍ତୁ ମୋ ମନ ବୁଝିବାରେ

କଣ ଗୋଟେ ଅଛି ଯେ ।


ମୋ ମନଟା କଣ ଦୁନିଆ

ମୋ ମନ କଣ ଏଇ ସାରା

ଦୁନିଆଁଟାକୁ ବଦଳାଇ ଦେବ

କଣ ସଭିଙ୍କ ମାନସିକତାରେ

ପରିବର୍ତ୍ତନ ଆଣି ପାରିବ?

ନା ମୋର ସିଦ୍ଧାନ୍ତକୁ

ପ୍ରମାଣ ସିଦ୍ଧ କରି ପାରିବ ।


ଏମାନଙ୍କ ନଜରରେ ତ

ପ୍ରେମ କେବଳ ଦୁଇଟି ଦେହୀର ମିଳନ

ଦେହ ସହିତ ଦେହ ଏକାକାର

ହେବାର କ୍ରିୟା-ପ୍ରକ୍ରିୟା-ପ୍ରତିକ୍ରିୟା

ମନର ମିଳନ ତ ଏଠି ଗୌଣ

ପୀରତି ବେଭାର ନଗଣ୍ଯ

ଦେହର ଆକର୍ଷଣରେ ମଗନ

ଅନଳ ପତଙ୍ଗ ଉପାଖ୍ୟାନର

ପୁନଃ ପୁନଃ ବିସ୍ତୃତ ବ୍ଯାଖ୍ଯାନ ।


ଏମାନେ କାହୁଁ ବା ଜାଣିବେ

ମନ କଣ? ହୃଦୟ କଣ

ଭଲପାଇବା କଣ

ପ୍ରେମର ଅର୍ଥ କଣ

ତେଣୁ ଏମାନେ ସ୍ଥୁଳତଃ

କଲେ ମୋତେ ଆଖ୍ୟାୟିତ

ଏଇ ଉପଭୋକ୍ତାବାଦୀ ଦୁନିଆ

ଦେଲା ମୋତେ ନୂଆ ଉପାଧି

ପାଗଳ ପରିବର୍ତ୍ତେ "ଅସଫଳ ପ୍ରେମିକ" ।


ଯିଏ କେବେ ଦୁଇ ପଦ କଥାଭାଷା

ହୋଇ ପାରିନି ଆପଣାର ପ୍ରେୟସୀ ସହ

ମନର କଥା ଅବ୍ଯକ୍ତ ରହି ଯାଇଛି ଯାହାର

ଚିରଦିନ ମନରେ ମନରେ ଗୋପନରେ

ସେଇ ସର୍ବଜ୍ଞ ମନକୁ ମୁଁ ପଚାରେ ବାରମ୍ବାର

ସତରେ କଣ ମୁଁ ଏକ "ଅସଫଳ ପ୍ରେମିକ"

ଅନ୍ତତଃ ତାହାରି ପକ୍ଷରେ ତାହାରି ଦୃଷ୍ଟିରେ ।


ମନ ମୋର ପ୍ରତିଥର ରୁହେ ନିରୁତ୍ତର

ମୁହିଁ ମୂଢ଼ମତି ଅକିଞ୍ଚନ ମହାମୁର୍ଖ

କି ଅବା ବୁଝିବି ତାହାରି ଇଙ୍ଗିତ

'ମୌନେ ସମ୍ମତି ଲକ୍ଷଣମ୍' ନୁହେଁ ତ ।


Rate this content
Log in

Similar oriya poem from Romance