ଅସମାପିକା
ଅସମାପିକା
ଲୁହରେ ବତୁରି ଯାଇଥିବା ଦୁଃଖର ମଞ୍ଜିରୁ
ଗଛଟିଏ ହେଲା ଯେ -
ତା' ଛାଇରେ ଉତୁରି ପାରିଲା ନାଇଁ
ଓଠ ଉପରେ ସୁଖର ଚାରାଟିଏ ଆଉ
ଆସିଲେ ଫଗୁଣ
ମନେହେଲା ଆସିଛି ଶ୍ରାବଣ
ବର୍ତ୍ତମାନ ବି ଲେଉଟିଲା ନାଇଁ
ଅତୀତର ରାସ୍ତାରୁ ଆଉ ॥
ଯେଉଁଠାରେ ଜଣାଥିଲା ଶେଷ ହେବ ଦୁଃଖ କଥା
ଶେଷ ହେବ ଯାତନା
ସେଇଠାରୁ ନୂଆ ହୋଇ
ଅସରନ୍ତି ଗପ ଲମ୍ବି ଗଲା
କହିଲା ବେଳକୁ ପୁଣି
ବଢିଗଲା ହୃଦୟର ଭାର
ସହିବାକୁ ଆଉ କରିହେଲା ନାହିଁ ମନା ॥
ନୂଆ ଜନ୍ମ ଆସିବା ଆଗରୁ
ସମୟ ବି ପଡିଗଲା ଝୁଣ୍ଟି
ଯେତେ ସୁଖ ମିଳିବାର ଥିଲା
କେବେ ଆସି କେବେ ଚାଲି ଗଲା
ଖୋଜିଲା ବେଳକୁ କିଛି ନାହିଁ
ଖାଲି ପ୍ରତିଧ୍ୱନି ଶୁଭୁଛି ॥