ଅସଲି ସୌନ୍ଦର୍ଯ୍ୟ
ଅସଲି ସୌନ୍ଦର୍ଯ୍ୟ
ଯାହା ଦିଶେ ଉପରକୁ ଚକ୍ ଚକ୍ ତାହା
ନୁହେଁ ସର୍ବଦା ସୁନା
ଥାଏ ପାପ ଭର୍ତ୍ତି ଅନ୍ତର ମଧ୍ୟରେ, ସୁନ୍ଦର
ଚେହେରା ଟା ସିନା ।୧।
ପୃଥିବୀଟା ରଙ୍ଗମଞ୍ଚ ଜୀବନ ଯାତ୍ରାରେ
ଅଭିନୟ କରୁ ଭିନ୍ନ ଭିନ୍ନ ଭୂମିକାରେ
ଜାଣୁନା କାହିଁକି ଆସିଛେ କେଉଁ ଉଦ୍ଦେଶ୍ୟରେ
ପୂର୍ଣ୍ଣଛେଦର ସମ୍ଭାବନା ପ୍ରତି ମୁହୂର୍ତ୍ତରେ ।୨।
ମଣିଷ ମଣିଷ ଭିତରେ ସମ୍ପର୍କ ଶ୍ୱାସରୁଦ୍ଧ, ବୋମା
ବିସ୍ଫୋରଣର ଭୟଙ୍କର ପ୍ରକମ୍ପରେ,
ଜଗି ଜଗି ନିଇତି ମିଶୁଛେ, ଲୁଚାଚୋରା ଖେଳ
ଭୟ ଓ ଆଶଙ୍କା ଥାଇ ମନ ମଧ୍ୟରେ ।୩।
ସତ୍ୟ ଧର୍ମ ପଥ, ସେବା, ପରୋପକାରର
ମହନୀୟତାର ମୂଲ୍ୟ
ହୃଦରେ ଅନାବିଳ ମାନବ ପ୍ରେମ ତ ଅସଲ
ସୌନ୍ଦର୍ଯ୍ୟ କେହି ନହେବ ତା'ର ତୁଲ ।୪।
ଲାଭ ଓ ଲୋଭ ସର୍ବଦା ଦୁର୍ନୀତିର ଚେର,
ମଣିଷ ମାୟା ମରିଚିକା ପଛେ ଧାଏଁ
ଘରର ଢ଼ିଙ୍କି କୁମ୍ଭୀର ସାଜିବା ପରି ମନେ
ଖେଳୁ ଥାଏ, ଆପଣାଙ୍କୁ ମାରି ଖାଏ ।୫।
ଗୁହାରୀ, ମିନତୀ, ପ୍ରାର୍ଥନା, ବୃଥା ପ୍ରୟାସଟି
ହୁଏ ଅବୁଝା ମନର ବାଟ
ବୃଥା ସବୁ ଉପଦେଶ, ବୃଥା ଧର୍ମ ଶାସ୍ତ୍ର, ଯେବେ
ଲାଭ ଓ ଲୋଭ କରୁଥାଏ ନାଟ ।୬।
ଅନୀତିର ପଥ ଲୋଭ ମୋହ ଦ୍ୱାରା ଲମ୍ବି
ଲମ୍ବି ଯାଏ ତାଳୁରୁ ତଳିପା ଯାଏ
ଦଣ୍ଡର ବ୍ୟବସ୍ଥା ସତର୍କତା ଏକ କାନେ ପଶି
ଆର କାନେ ବାହାରି ଯାଏ ।୭।
ମନେ ରଖ ପଥିକଟିଏ ତୃଷ୍ଣା ଦୂର ପାଇଁ ଜଳ
ବୋଲି ଭାବି ତପ୍ତ ବାଲୁକାରେ ଧାଏଁ
ପାଶେ ପହଁଚିଲେ ମରୁ ବାଲି ଦେଖେ, ଜଳ
ନୁହେଁ ସେତ ଅଟେ ମରୀଚିକାଟିଏ ।୮।
ଏ ସୃଷ୍ଟିରେ ମନୁଷ୍ୟ ଭଲ ମନ୍ଦ ପାରେ ବାଛି
କାରଣ ସେ ଜୀବଜଗତରେ ଉନ୍ନତ
ଲୋଭ ମୋହ ଇର୍ଷା ଦୂର ନକରିଲେ ମଣିଷ
ହୁଏ ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ।୯।
ପାରୁନା କରି ଦର୍ଶନ ମାନସ ଚକ୍ଷୁରେ, କଣ
ପାଇବ, ଶ୍ରେଷ୍ଠ ଜୀବର ଡିଣ୍ଡିମ ପିଟୁଛ,
ନିଷ୍ପାପ ନିରୀହ ଶିଶୁର କରୁଣତା ନଶୁଣି କଣ
ପାଇଁ ମଣିଷ ରକ୍ତରେ ହୋରି ଖେଳୁଛ ।୧୦।
ଇତିହାସେ ରଚିବ ନାମ ନରହନ୍ତା, ଗର୍ବ, ଦମ୍ଭ
ଅହଙ୍କାର ନରହିବ କାଲି,
ବିଜୟ ହେଉ ନେବନି ଯିବାବେଳେ,
ଶୂନ୍ୟ ହସ୍ତେ ନିଶ୍ଚେ ଯିବ ଚାଲି, ।୧୧।
ପୁଣ୍ୟ ଜନଗଣ ସୁଖ ଆନନ୍ଦରେ ରଖି ଯାନ୍ତି
କୀର୍ତ୍ତିସ୍ତମ୍ଭ ଜନମାନସରେ
ପାପୀ ଗଣକୁ ମିଳଇ ନିନ୍ଦା ଅପବାଦ ଅଶେଷ
ବେଦନା ଏହି ଧରଣୀରେ ।୧୨।
ଇତିହାସ ପଢ, ରକ୍ତ ନଦୀ ବହିଯିବା ପରେ,
ସମ୍ରାଟଙ୍କ ପଶିଥିଲା ଚେତା,
ଭୟଭୀତ ମାନବର ଆକୁଳ ଚିତ୍କାରରେ ହୃଦୟର
ଜୟରେ ସେ ହୁଏ ପ୍ରକୃତ ବିଜେତା ।୧୩।
ମନୁଷ୍ୟ ଜୀବନ ଦୁଇ ଦିନିଆଁ ଆଜି ଅଛେ
ତ କାଲି ନରହିବା
ସୁନ୍ଦରତା ଚିରସ୍ଥାୟୀ ନୁହେଁ ସବୁ ଦିନ, ଅସଲି
ସୌନ୍ଦର୍ଯ୍ୟ ଚରିତ୍ରକୁ ସଜାଡିବା ।୧୪।
