ଅସିଣ
ଅସିଣ
ଯେତେବେଳେ ମୋ ଗାଁର
ବିସ୍ତୃତ ନଦୀପଠାରେ
ପବନର ତାଳେ ତାଳେ
ଢେଉ ଖେଳେ କାଶତଣ୍ଡୀ ଫୁଲ।
ଯେବେ ଶରତର ନିର୍ମଳ ନୀଳ
ଆକାଶରେ ଜମେ ଧଳା ଧଳା
ଭସା ଭସା ବଉଦଙ୍କ ମେଳା।
ଯେବେ ଆମ ଠାକୁର ଘରେ
ଜେଜେଙ୍କ ମନ୍ତ୍ରପାଠ ସହ
ଗୁଞ୍ଜରିତ ହୁଏ ସମବେତ ଜନତାର
ସୁଲଳିତ ଭଜନର ସ୍ବର
ଘଣ୍ଟାଘଣ୍ଟାଦି ବାଦ୍ୟଯନ୍ତ୍ରର ତାଳରେ।
ଯେବେ ଗାଁ ଠାକୁରାଣୀ ପୀଠରେ
ଆନନ୍ଦ ଉଲ୍ଲାସରେ ହୋମ ଯଜ୍ଞରେ
ହରିବୋଲ ହୁଳହୁଳିର ନାଦରେ
ଆରମ୍ଭ ହୁଏ ମହାସମାରୋହେ ପାର୍ବଣ।
ସେତେବେଳେ ଏଇ ଧୂଳି ଧୂସରିତ
ଧରା ପୃଷ୍ଠକୁ ଓହ୍ଲେଇ ଆସେ ଅସିଣ
ଆଗମନେ ତା'ର ଫୁଟି ଉଠେ ହସ
ଆବାଳବୃଦ୍ଧ ସବୁରି ମୁଖରେ।