ଅଶାନ୍ତ ଅବ୍ୟକ୍ତ ବ୍ୟଥା
ଅଶାନ୍ତ ଅବ୍ୟକ୍ତ ବ୍ୟଥା
ଅଜା ବାପାଠାରୁ
ଶୁଣୁଥିଲୁ ଦିନେ
ଆସଇ ବାଡ଼ି ବସନ୍ତ
ଗାଆଁଠୁ ସହର
ମାଡି ଚାଲେ ସିଏ
ଜୀବନ କରଇ ଅନ୍ତ ।
ଅଦୃଶ୍ୟ ଭୁତାଣୁ
କୋକୁଆ ଭୟ ଯେ
ଥରାଇ ଦେଉଛି ଛାତି
କାଳର କରାଳ
ବିକଟାଳ ରୂପ
ସଞ୍ଚାରିତ ମନେ ଭୀତି ।
କହି ହେଉନାହିଁ
ସହି ହେଉନାହିଁ
ଆଜିର ଦୁନିଆ କଥା
ବାପ ଥାଇ ପୁଅ
ଜୁଇରେ ଶୋଉଛି
ଅଶାନ୍ତ ଅବ୍ୟକ୍ତ ବ୍ୟଥା ।
ନବ ବଧୂ ପାଦେ
ଅଳତା ନଲିଭୁ
ସ୍ବାମୀର ଜଳୁଛି ଚିତା
ନିଷ୍ପାପ ଶିଶୁର
ଆକୁଳ କ୍ରନ୍ଦନ
ହରାଇ ତା' ମାତାପିତା ।
ଛୁଅଁନା ଛୁଅଁନା
ସବୁଠି ଶୁଭୁଛି
ଘରକୁ ଆସୁନି ବନ୍ଧୁ
ସାହି ପଡିଶାରେ
ଗହଳି ଲାଗୁନି
ଦୁଆର କିଳିକି କାନ୍ଦୁ ।
ଶବ ପାଇଁ ଏଠି
ଚାରି କାନ୍ଧ ନାହିଁ
ବନ୍ଧୁ ବାନ୍ଧବକୁ ମନା
ନାହିଁ ହରିନାମ
ରାମନାମ ଡାକ
ଜୁଇ ପାଉଁଶ ବି ମନା ।
ମୁଖାଗ୍ନି ଦେଉନି
ପରିଜନ ଏଠି
ବନ୍ଧା ଯେ ମାନବିକତା
ଦେଖି ହତବାକ୍
ସଭିଏଁ ହୁଅନ୍ତି
ନୁଆଁଇ ଦିଅନ୍ତି ମଥା ।
ପ୍ରାଣୀ ମଧ୍ୟ ଶ୍ରେଷ୍ଠ
ମାନବ ଜୀବନ
ପଡିଛି ବିପଦେ ଆଜି
ଜ୍ଞାନ ବିଜ୍ଞାନ ବି
ହାର ମାନିଅଛି
ଉପାୟ ପାଉନି ଖୋଜି ।
ତ୍ରାହି ତ୍ରାହି ବୋଲି
ସଭିଏଁ ଡାକନ୍ତି
ରଖ ପ୍ରଭୁ ଜଗନ୍ନାଥ
ତୁମେ ନ ଚାହିଁଲେ
ଏ ଜଗତେ ପ୍ରଭୁ
ଟଳିବ ନାହିଁ ବିପଦ ।