ଅର୍ଥ
ଅର୍ଥ
ଅନର୍ଥର ମୂଳ କାରଣ ହିଁ ଅର୍ଥ
ସମ୍ପର୍କ ଭିତରେ କରଇ ଫାଟ
ହେବାପାଇଁ ଭୋଗୀ କରି ଉତ୍ସାହିତ
ମନକୁ ବିପଥ ସହିତ ଭେଟ ।
ହାରଇ ବିବେକ ମନର ତେଜରେ
ଅଧିକୁ ଅଧିକ ପ୍ରାପତ ପାଇଁ
ପାପ ଅବା ନୀତି ବିରୁଦ୍ଧ କାମକୁ
ଅତି ସହଜରେ ବି ଆପଣେଇ ।
ଉପାର୍ଜନ ସିନା ଥିଲେ ସତ୍ପଥ
ବିନିଯୋଗେ ଅର୍ଥ ମିଳଇ ଖୁସି
ଜୀବନେ ଭରଇ ଆଶ୍ବାସ ଶାନ୍ତ୍ବନା
ବିଭୁ ଚେତନାରେ ରହି ବିଶ୍ବାସୀ ।
ଅର୍ଥହୀନକୁ ବି ଦେଖେ ନାହିଁ କେବେ
ଆମର ସମାଜ ଶୁଭ ଦୃଷ୍ଟିରେ
ବିତ୍ତଶାଳୀ ପାଏ ସବୁଠି ଆଦର
ଥାଉ କି ନଥାଉ ଗୁଣ ତା'ଠାରେ ।
ଏକ ଦଶମାଂଶ ଦାନ ଦକ୍ଷିଣାରେ
ବିନିଯୋଗ ଯେବେ ସତ୍ ଅର୍ଥର
ଶାସ୍ତ୍ର କହଇ ପୁଣ୍ୟ ଲଭଇ
ଏ କର୍ମରେ ଥାଏ ମନ ଯାହାର ।
ଅସତ୍ ଅର୍ଥକୁ ଯିଏ କରେ ଭୋଗ
ତା' ମନ ବି ଭୁଲ ପଥେ ପ୍ରେରିତ
ଚେତାଇ ଦେଇଛି ଏହି କଥା ପରା
ଆମ ହିନ୍ଦୁଗାଥା ମହାଭାରତ ।
ସେଥିପାଇଁ ଧର୍ମ କର୍ମକୁ ବିଚାରି
ଅର୍ଥ ରୋଜଗାର ଦାନରେ ଧ୍ୟାନ
ନିତି ଚଳୁଥାଅ ଜୀବନ ଯାତ୍ରାରେ
ଯେତେ ଅଛ ଭବେ ମହତ ଜନ ।।
