ଅର୍ଜୁନ
ଅର୍ଜୁନ
କାହିଁଗଲା ତୁମ ଦର୍ପ ଦମ୍ଭ ବଳ
ଅମୋଘ ଧନୁ ଟଙ୍କାର,
ଦିବ୍ୟ ଅସ୍ତ୍ରଶସ୍ତ୍ର ହଜିଗଲା କାହିଁ
ଖାଲି ପଡିଛି ତୁଣୀର |
ତୁମେ କି ଜାଣନା ଆଜିବି ସଂସାରେ
ହୁଏ ଦ୍ରୌପଦୀ ହରଣ,
ଛଳନାର ପଶାପାଲି ଖେଳ ଚାଲେ
ପାପୀ ହୁଏ ବଳବାନ |
କାହିଁ ଚାଲିଗଲେ ରଥର ସାରଥୀ
ଯୁଦ୍ଧଭୂମି ରଣଛାଡ଼ି |
ଶୁଭୁନାହିଁ ଆଉ ପଞ୍ଚଜନ୍ୟ ଶଙ୍ଖ
ବୀରର ହୁଙ୍କାର ରଡ଼ି |
ପାପ ଥିଲା ସେବେ ଅଛି ପୁଣି ଏବେ
ଏତେ ପକ୍ଷପାତ କାହିଁ,
ଛତ୍ରଛାୟା ତଳେ ସୁରକ୍ଷିତ ଭାବେ
ଦିଅ ପାପୀଙ୍କୁ ଲୁଚାଇ |
କେତେ ପାପ ଆଉ ସହିବ ଧରିତ୍ରୀ
ଶକୁନିର କୋପ ବଢ଼େ,
ଆଉ ଏକ ଯୁଦ୍ଧ ପ୍ରସ୍ତୁତ ଚାଲିଛି
ହିଂସା ବଢ଼େ ଚାରିଆଡେ |
ହେ ବୀର ଅର୍ଜୁନ ରଖ ସନମାନ
ପୋଛି ନାରୀ ଆଖି ଲୁହ,
କଳିଜୁଗେ ନାରୀ ନହେଲେ ଦ୍ରୌପଦୀ
ମାଆ ପରିଚୟ ଦିଅ |