ଅପରିଚିତ
ଅପରିଚିତ
ଅପରିଚିତ ଗୋ ତୁମ ରୂପ ଦେଖି,
ମନ ଦେଇଦେଲି ସିନା.
ଛୁଇଁଦେଲା ପରେ କଣ୍ଟାର ଆଘାତେ,
ସପନ ମୋ କଲ ଚୁନା।
ଅନୂଢ଼ା କିଶୋରୀ ଜୀବନେ ଆସିଛ,
ସୁନେଲୀ ସପନ ଦେଇ.
ଫୁଲର ସୁରଭି ମୃଦୁ ପବନରେ,
କିଶଳୟ ଟିଏ ହୋଇ ।
ଟିକି ତାରା ହୋଇ ତୁମ ଜୋଛନାକୁ,
ପିଇଯାଏ ମନଭରି.
ବାମନ ହାତର ଚାନ୍ଦଟିଏ ପରି,
ତୁମେ ହସୁଥାଅ କିରିକିରି ।
ଅଳସ ଆଖିର କଳସେ ସପନ
ତୁମେ ଗଭୀର ନିଶିଥ ଛାଇ
ତନ୍ଦ୍ରାଳସ ତନୁ ଘୁମନ୍ତ ଏ ମନୁ
ତୁମ ଛୁଆଁ ଚାହିଁଥାଇ ।
ପରିଚୟ ନାହିଁ ପରିତ୍ୟକ୍ତ ଏକ
ବହିର ପୃଷ୍ଠାର ଛବି
ଦୂରୁ ବହୁଦୂରୁ ପୀରତି ମାଧୁରୀ,
ମୂର୍ଚ୍ଛନା ତୋଳେ ମୁଁ ଭାବି ।
ମୋ ହୃଦ ଫରୁଆ ସାଇତା ଐଶ୍ୱର୍ଯ୍ୟ
ଚୋରାଇ ନେଇଛ ତୁମେ,
ଉଜୁଡା ହସର ମାଳତୀ କୁଞ୍ଜରେ
ପ୍ରଣୟ ଦୁଆରେ ଭ୍ରମେ ।
ପ୍ରେମ ସାତରଙ୍ଗ ଯାଦୁଗର ସାଜି,
ଚିତ୍ର ଟିଏ ଆଙ୍କି ଗଲ.
ତୁମେ ମୋ ମନର ସୀମାରେଖା ଡେଇଁ,
ସାଜିଛ କୁରେଇ ଫୁଲ ।
ଦେଖିଥିଲି ଯେବେ ଦୂରରୁ ତୁମକୁ,
ପଲକେ ପ୍ରଥମ ଥର.
ହୃଦୟ ଗବାକ୍ଷ ଡେଇଁ ଆସି ତୁମେ ,
ଆକସ୍ମାତେ କଲ ଘର ।
ସୋରିଷ ଫୁଲିଆ ହସ ମୋ ହଜିଛି,
ଅପବାଦ ଅଗଣାରେ.
ଶରତ ଶେଫାଳୀ ବାସନା ବିହୀନ,
ଭିଜେ ଆଖି ଲୁହ ଧାରେ ।
ଆଉ ମୋ ଆତ୍ମାରେ ଲୁଚକାଳି ଖେଳ,
ଅପରିଚିତ ଖେଳ ନାହିଁ.
ପରିଚିତ ହୋଇ ଆସିଯାଅ ପାଖେ,
ପ୍ରେମ ସୌଦାଗର ହୋଇ ।