ଅନୁତାପ ଭରା ଶୂନ୍ୟତା
ଅନୁତାପ ଭରା ଶୂନ୍ୟତା
ମୁଠାଏ ସପନରୁ ତୋଳିଆଣିଥିବା ମହକ
ଯେତେବେଳେ ମହକେଇଦେଲ ଅଗଣାରେ
ବୁଝାପଡିଲାନି ତୁମ ଅଝଟ ପଣ
ବୁଝାପଡିଲାନି ତୁମ ସରଳ ମାନସିକତା
ତଉଲି ତାଉଲି ସବୁ ଫେରେଇଲି
ଯେତେ ମୋର କାର୍ପଣ୍ୟତା
ଯେତେ ମୋର ତୁଚ୍ଛ ମନୋଭାବ
ତୁମ ଉପରେ
ତଥାପି
ତଥାପି ତୁମେ ଓଜାଡି ଚାଲିଥିଲ ,
ସରୁ ହସ ଧାରେ ମାଦକତା
ନିଷ୍କପଟ ଭାଷାରେ ତୁମ ଉଦାରତା
ନିଉଛଣା ମନମୋର ,
ମାରିମାରି ଚାଲିଥିଲା
ତୁମର ଯେତେକ ସମ୍ମାନ
ଯେତେକ ଭଲପାଇବାର ସତ ଉପହାର
ଲିଭିଲା ଦୀପ ଯୋରରେ ଜଳିଲା ପରି
ଚିଡେଇଲି ମୁଁ ,
ନାକରେ କାଠି ପୁରେଇ ଛିଂକେଇଲି ମୁଁ
ହେଲେ
ହେଲେ ତୁମେ ତ ଅବିଚଳିତ
ତୁମ ଚଲାପଥରେ
ଦେଇ ଚାଲିଥିଲ ,
ତୁମର ସେ ସୁନ୍ଦର ମହକ ଆଉ ମହକ
ଆଜି ଆବର୍ତ୍ତମାନରେ ତୁମ
ମୁଁ ଖୋଜେ !
ତୁମ ନିରବ ନିଚୁଡା ପାଦଚିହ୍ନ
ମୋ ଦେହ ସାରା ଉଣ୍ଡାଳି ବୁଲେ
କୋଉଁଠି ତୁମର ବ୍ୟାପ୍ତି
କେଉଁଠି ତୁମର ପରିସମାପ୍ତି
କିନ୍ତୁ ପାଏନାତ ସଂଚରିଥିବା ରକ୍ତ
ତୁମର ମୋ ଦେହରେ
କାହିଁ ପାଉନିତ ?
ତୁମର ସେ ମହକ
ତୁମର ସେ ଅଝଟପଣ
ତୁମର ସେ ସରଳ ମାନସିକତା
ତୁମର ସେ ସରୁ ହସ ଧାରେ ମାଦକତା
ତୁମର ସେ ନିଷ୍କପଟ ଭାଷାରେ ଉଦାରତା
ଏବେ କେବଳ ମୋ ଚାରିପଟେ ଘୁରିବୁଲେ,
ଅନୁତାପ ଭରା ଶୂନ୍ୟତା....
ଅନୁତାପ ଭରା ଶୂନ୍ୟତା ।

