ଅନ୍ତରଙ୍ଗ
ଅନ୍ତରଙ୍ଗ
ଜ୍ୟୋସ୍ନାବିଧୌତ ରଜନୀରେ
ତାରାମନଣ୍ଡଳର ମିଞ୍ଜି ମିଞ୍ଜି ଆଲୋକରେ
ତୁମ ସହ ମୁଁ
ଏଇ ଯେ ନୀରବ
ନିସ୍ତବ୍ଧ ବେଳାଭୂମି କୋଳେ ।
ଶାନ୍ତ ଜୁଆର
କ୍ଲାନ୍ତ ସମୀର
ତନୁ-ମନେ ଏ କି ଅପୂର୍ବ ଶିହରଣ ଭରେ ।
ଆଲୁଳାୟିତ କୁନ୍ତଳ
ନିଜର ଅସ୍ତିତ୍ଵ ବଞ୍ଚାଇବାକୁ
ଚେଷ୍ଟାରତ କଜ୍ଜ୍ଵଳ
କବରୀରେ ଅସଜଡ଼ା, ଅଧାଛିଣ୍ଡା
ରଜନୀଗନ୍ଧାର ମାଳ
ସବୁତ ତୁମରି ସମ୍ମୋହନରେ ସମ୍ମୋହିତ
ତୁମ ପ୍ରେମ ଆଗରେ
କାହିଁ କେଉଁ ଅନ୍ତରଙ୍ଗ କାଳରୁ
ଏମାନେ ଯେ ନତମସ୍ତକ ।
ସେଥିପାଇଁ ବୋଧହୁଏ
ସଭିଁଏ ମିଶି ତିଳ ତିଳ କରି ଜାଳିଦିଅନ୍ତି
ଯେତେସବୁ ରାଗ ,ଅଭିମାନର ଅଭିବ୍ୟକ୍ତିମାନ
ମହମ ପରି ତରଳାଇ ଦିଅନ୍ତି
ମୋ ଅସ୍ତିତ୍ୱର ଆତ୍ମ-ସ୍ଵାଭିମାନକୁ ।
କ'ଣ ବା ଲାଭ !
ଏତେ ସବୁ ଅନୁଶୋଚନାର
କିଛି କ୍ଷଣ ପାଇଁତ ତୁମେ ମୋର
କାୟ ମନୋବାକ୍ୟରେ
ସମ୍ପୂର୍ଣ୍ଣ ରୂପେ ମୋର
ଏ ରାତି ପାହିଲା ଯାଏଁ
ଆମେ ଦୁହେଁ ବନ୍ଧା ପ୍ରୀତି-ପୁଲକରେ ।
ଏଇ ଯେ ଅନ୍ତରଙ୍ଗ ମୂହୁର୍ତ୍ତମାନ
ବିତିଯିବ କେଇ କ୍ଷଣ ମଧ୍ୟରେ
ଆସିବ ଏକ ନୂଆ ସକାଳ
ବାଳଭାନୁର କର ସ୍ପର୍ଶରେ
ମୋତେ ଏକା କରି
ତୁମେ ଫେରିଯିବ ତୁମ ସୁନା ସଂସାରକୁ
ଆଉ
ପରବର୍ତ୍ତୀ ସାକ୍ଷାତ ପର୍ଯ୍ୟନ୍ତ
ଆମେ ଦୁହେଁ ପୁଣି ସାଜିବା ଅପରିଚିତ
ଅତି ଅନ୍ତରଙ୍ଗ ଭାବରେ ।