STORYMIRROR

Smruti Ranjan Tripathy

Abstract

2  

Smruti Ranjan Tripathy

Abstract

ଅନ୍ତର୍ଦ୍ୱନ୍ଦ

ଅନ୍ତର୍ଦ୍ୱନ୍ଦ

2 mins
13.6K


ମୁଁ ଦେଖୁଥିଲି ପୋଷ୍ଟମର୍ଟମ ରୁମର ବାରଣ୍ଡା ତଳେ ଧାଡିହୋଇ ଅପେକ୍ଷାରତ ଶବଗୁଡ଼ାଙ୍କୁ 

ନୀରବ, ନିସ୍ତେଜ, ନିର୍ବାକ, ନିଁଦୃତ..ଛାଇ ଆଲୁଅ ଏକାକାର 

ରକ୍ତ ସବୁ ପାଣି ଫାଟୁଥାଏ, ମାୟା ଖୋଳପାରୁ ରଙ୍ଗଛଡା ଗନ୍ଧ.. ବିବତ୍ସ ଵିଵସ୍ତ୍ର 

ଆଗାମୀ ଲୋଭମାନଙ୍କ ପ୍ରତିନିଧିମାନେ ବ୍ୟସ୍ତ ବିବ୍ରତ, ସରକାରୀ ଖାତାରେ ଶବ ସାଙ୍ଗରେ ମୂଲଚାଲ 

କିଛି କୋହଭିଜା ଶବ୍ଦପୁଞ୍ଜି ଭିଯାଉଥାଏ ଭିନ୍ନ ଏକ "ଅନ୍ତର୍ଦ୍ୱନ୍ଦ" ର ମୁକ ପୃଷ୍ଠାକୁ....  

ଅନତି ଦୂରରେ କିଛି ବିବଶ ଅପ୍ରମିତ ନୟନ, ଆତୁର ମନ, କେତେ ଯେ ଅସମାହିତ ପ୍ରଶ୍ନ

କାଳେ କିଏ ଆସନ୍ତା କି ଫେରି? ମନ୍ତ୍ର ତନ୍ତ୍ର ସବୁ ମୂଲ୍ୟହୀନ ମୃତ୍ୟୁ ଚେତନାରେ 

ଆଶା ଆଲୋକର ତ୍ୱରଣମାନ ଲୋଟୁଥାନ୍ତି ଭୂଇଁ ଉପରେ,

ଅନ୍ଧାର ଆକାଶ ଲେସି ହେଉଥାଏ ମର୍ମେ ମର୍ମେ ଅଲକ୍ଷ୍ୟରେ, କି ନିରପେକ୍ଷ ବିଚାର ସ୍ରଷ୍ଟାର ସୃଷ୍ଟିର !

କ୍ଷଣିକରେ ଜୀବନବୋଧର ପୃଷ୍ଠାଙ୍କ ଓଲଟିଯାଏ ସମୟର ପ୍ରତିକୂଳ ସ୍ରୋତରେ 

ସମାନ୍ତରରେ ଚୁରମାର ହୁଏ ସ୍ବପ୍ନସବୁ.. ତାର,ମୋର, ତୁମର, ଅଜଣା ପଥଚାରୀର..

ଏଠି ବି ହୁଏ ଅଙ୍ଗଦାନ, ସ୍ଵୀକୃତି ପାଏ ଦସ୍ତାବିଜ ସବୁ ଅଲୋଡା ଅନୁରାଗର ସ୍ୱାକ୍ଷରରେ 

ମୃତ୍ୟୁ ପରେ ବି ଅହରହ ଦାନପୁଣ୍ୟ ଦୀପଦାନ, ଅନ୍ତର୍ଦାହ କୋଳମଣ୍ଡନ କରୁଥାଏ ସଂକୀର୍ତନର ବାର୍ତାରେ

ଶୁନ୍ୟ ସରାଗ ର ପ୍ରଣତି ପୁଷ୍ପସବୁ ମୁକସାକ୍ଷୀ ସାଜନ୍ତି ପାର୍ଥୀବ ଜୀବନର ଅନ୍ତିମ ପଥରେ 

ମର୍ଗରୁମ ବାହାରେ ମୁଁ ଦେଖୁଥାଏ ଜୀବନର ଅବୁଝା ରହସ୍ୟ, ଅପ୍ରିୟ ସତ୍ୟ 

ଇର୍ଷା, କ୍ରୋଧ, ହିଂସା ସଭିଏଁ ମୁହଁ ଲୁଚାଉଥାନ୍ତି କାଳର କରାଳରେ 

କିନ୍ତୁ ବୁଝେନା ଏ ଚତୁର ମଣିଷ, ସଦା ତତ୍ପର ଶ୍ରେଷ୍ଠତ୍ଵ ଜାହିର କରିବାକୁ କ୍ଷଣିକ ଉନ୍ମାଦରେ..  


ସତେ ଯେମିତି ନିଷ୍କ୍ରିୟ ଅବୟବମାନେ ଆକୁଳ ନିବେଦନ କରୁଥାନ୍ତି, 

ଲୋଡ଼ା ନାହିଁ ଆମ ଯଶ ଖ୍ୟାତିର ପ୍ରତିପୁଜନ, ଲୋଡ଼ା ନାହିଁ ଦାହ ସତ୍କାର 

ତୁମ ମହତ ଦାନର ଶୃଙ୍ଖଳରେ ତ ଅନାଦି କାଳରୁ ଆଜୀବନ ଦଗ୍ଧ ହେ ମାଧବ !

ପାରିବ ଯଦି ନେଇଯାଅ ବଳକା ସଂଚିତ ଧନ - ଅର୍ଜିଥିବା ଧର୍ମ ଆଭୁଷଣ

ବୋଳିଦିଅ ଶ୍ରୀଅଙ୍ଗରେ ସେଇ ମାନବବୋଧକୁ, ସତସଂଗରେ ଆବୃତ କର ସଭିଙ୍କୁ ହେ ଲୀଳାମୟ 

ତୁମଭଳି ମହୋଦଧିରେ ଭାସୁଥିବି ନିରାକାର ହୋଇ ପ୍ରତୀକ ମଶାଲର ଅପେକ୍ଷାରେ 

ତାହାହିଁ ହେବ ମୋ "ଅନ୍ତର୍ଦ୍ୱନ୍ଦ" ର ସଳିଳ ସମାଧି ତୁମ ମାୟାମୃଗ ସଂସ୍କାରରେ...... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract