ଅନ୍ତର୍ବେଦନI
ଅନ୍ତର୍ବେଦନI
ଜନ୍ମ ଦେଇଥିଲା ଯିଏ ଆମକୁ
କ୍ଷୀର ଦେଇ ବଢ଼େଇଲା
ପେଟକୁ ଆଉଁସି ତୋରାଣି ପିଇ ସେ
ଆମକୁ ଖୁଆଉ ଥିଲା I
କାନ୍ଧରେ ପକେଇ ଥାପୁଡ଼େଇ ଦେଇ
ଜହ୍ନ ଦେଖେଉ ଥିଲା ଦିନେ
ଆଜି ଭଙ୍ଗା ଘରେ ତାରା ଗଣୁଛି ସେ
ପାଖେ ନାହିଁ କେହି ଜଣେ I
ଜର ବାଧକରେ ଗୋଡ ଘସୁଥିଲା
ଓଷଧ ଖୁଆଉ ଥିଲା
କାନି ପଣନ୍ତରେ ଘୋଡେଇ ଦେଇସେ
ଦିନରାତି ଜଗୁଥିଲା I
ସବୁ ଥାଇ ଆଜି ଅନାଥିନି ହେଲା
ପାଣି ଟୋପେ ନ ପାଇଲା
ଝିଅଜୋଇଁ ପୁଅବୋହୂ ଥାଉଁଥାଉଁ
ଜନମ ତା ଧିକ ହେଲା I
ହାତ ଧରି ବାଟ ଚଳଉ ଥିଲାସେ
କଥା କହି ଶିଖେଇଲା
ଆଦ୍ୟ ଗୁରୁ ହେଇ ପାଠ ସେ ପଢ଼େଇ
କେଡେ ବଡ଼ କରିଦେଲା I
କୋଳରେ କାଖେଇ ମୁଣ୍ଡରେ ମୁଣ୍ଡେଇ
କେତେ ତ୍ୟାଗ କରିଥିଲା
ଅଳି ଅରଦଳି କେତେ ମାଡ଼ଗାଳି
ହସି ହସି ସହୁଥିଲା I
ସେହି ମାଐ ଆଜି ଲୁଚିକି କାନ୍ଦୁଚି
କୁଳକିନାରା ପାଉନି
ଅସହାୟ ହେଇ କରମ ନିନ୍ଦୁଚି
କାହିଁକି ପରାଣ ଯାଉନି I
ବୟସ ବାଧକ ବିଛଣାରେ ଶୋଇ
ମଳମୁତ୍ରେ ଭିଜୁଅଛି
ସେଵା ସିନା ନାହିଁ ଓଷଧ ପାଇଁକି
ତାଟିଆ କାମୁଡି ହଉଛି I
ପୁଅଝିଅ ଧରି ଆଶା କରିଥିଲା
ବୁଢ଼ୀଦିନେ ସାହା ହେବେ
ଘରେ ପଡିଗଲେ ପାଖେପାଖେ ରହି
ଯତନେ ମୋ ସେବା କରିବେ I
ସ୍ତ୍ରୀକୁ ସାଙ୍ଗରେ ନେଇ ଭଡା ଘରେ
ମଉଜରେ ପୁଅ ରହୁଚି
ଅସନି ବୁଢ଼ୀଟା ମରୁନି କାହିଁକି
ଗନ୍ଧଉଚି ବୋହୁ କହୁଚି I
କେତେ ଆଶା ସବୁ ଆଶାରେ ରହିଲା
ହାତ ଗୋଡ଼ ନଚଳିଲା
ଏକୁଟିଆ ଥାଇ ଅସହାୟା ହେଇ
ପଚିଷଢ଼ି ପ୍ରାଣଗଲା I
ଧନ୍ୟ ଧନ୍ୟ ଝୁଅ ପୁଅ ଜନ୍ମ ହେବା
ଏପରି ଯିଏ କରୁଥିବ
ସୁଯୋଗ ଛାଡିଲେ ଆଉ ନପାଇବ
କରମକୁ ନିନ୍ଦୁଥିବ I
ସାରା ସଂସାରରେ "ମା -ବାପା" ପରି
ବଡ ଦେବା ଦେବୀ ନାହିଁ
ଏକଥା ବୁଝିଲେ ତାଙ୍କୁ ସେବା କଲେ
ସର୍ବ କଲ୍ୟାଣ ହୁଅଇ I
ଜନମ ସାର୍ଥକ ହୁଅଇ I