ସ୍ମୃତି ପହିଲି ପ୍ରେମର
ସ୍ମୃତି ପହିଲି ପ୍ରେମର
ତୁମ ପାଇଁ ସଦା ହୃଦୟେ ମୋହର
ଅନୁରକ୍ତି ଝରି ଆସେ,
ଅନୁତପ୍ତ ପ୍ରାଣେ ଅଲିଭା ନିଆଁଟା
କୁହୁଳି କୁହୁଳି ନାଶେ ।
ଏବେ ବି ଅନ୍ତରେ ତୁମ ସ୍ମୃତି ମୋତେ
ବିଦଗ୍ଧ କରୁଛି ନିତି,
ପରକୀୟା ପରି ପ୍ରୀତି ଭରି ମନେ
ତୁମକୁ ଯେ ଝୁରୁଅଛି ।
ଭୁଲ କରିବାକୁ ବାଧ୍ୟ ହୋଇଥିଲି
ନପାଇ ସେଦିନ ରାସ୍ତା,
ତୁମେ ବି ଦୁର୍ବଳ ହୋଇ ପଡିଥିଲ
ଦେବାପାଇଁ ମୋତେ ଆଶ୍ରା ।
ଝିଅଟିଏ ହୋଇ କେମିତି ଯେ କୁହ
ଅବାଧ୍ୟ ମୁଁ ହୋଇଥାନ୍ତି,
କେଉଁ ଭରସାରେ ତୁମକୁ ବିଶ୍ୱାସେ
ପ୍ରତୀକ୍ଷା ମୁଁ କରିଥାନ୍ତି ।
ତୁମ ନୀରବତା ଭାଙ୍ଗି ଦେଇଥିଲା
ପ୍ରୀତିର ସଉଧ ମୋର,
ଅନିଚ୍ଛା ସତ୍ୱେ ବି ତୁମେ ହୋଇଗଲ
ଜୀବନରେ ସାତପର ।
କୁଆଁରୀ ଦେହର ନରମ ମନରେ
ତୁମେ ଥିଲ ଦିନେ ରାଜା,
ସପନର ତାଜ ଗଢିଥିଲି ମୁହିଁ
ହେବାପାଇଁ ପତିବ୍ରତା ।
ସବୁ ଭାଙ୍ଗିଗଲା ଅଦିନ ଝଡ଼ରେ
ଅଲଗା ଯେ ହୋଇଗଲେ,
ନିଷ୍ଠୁର ନିୟତି ଚାହିଁଲାନି ବୋଧେ
ପରସ୍ପରେ ପର ହେଲେ ।
ଏବେ ବି ତୁମକୁ ଭୁଲିପାରି ନାହିଁ
କେବେ ଯେ ହେବନି ଭୁଲି,
ପ୍ରଥମ ପ୍ରେମର ସ୍ମୃତିକୁ କେହି ବି
ହୃଦୟୁ ପାରେନା ଠେଲି ।
ଜୀବନ ଚାଲିଛି ଅଭିନୟ ପରି
ସ୍ମୃତିକୁ ନିଜର କରି,
ବାସ୍ତବ ଜୀବନ ହାହା କାର କରେ
ଅତୀତକୁ ଝୁରି ଝୁରି ।

