STORYMIRROR

Sabita Nayak

Romance

4  

Sabita Nayak

Romance

ଆଲୁଅର ଆରପାଖେ

ଆଲୁଅର ଆରପାଖେ

1 min
387

ଆଲୁଅର ଆରପାଖେ

ଅମାବାସ୍ୟାର ଯନ୍ତ୍ରଣାସିକ୍ତ ରଜନୀ

ମାୟାବିନୀ କୁହୁକିନୀ ଯାଦୁର ଖେଳ

ଧର୍ମର ନିକିତି ଧରି

ଶକୁନିର କପଟ ପାଶାରେ ହାରେ ବାରମ୍ବାର

ସମ୍ପର୍କର ମୋହ

ଛଳନାର ଜଉଘର

ଛଟପଟ କରି ମାରେ ପ୍ରତିମୂହୁର୍ତ୍ତ,

ସତ୍ୟକୁ ଜାବୋଡି ଧରି

ମୁଁ ସମ୍ରାଟ ଯୁଧିଷ୍ଠିର

କେବେ ଜିତି ପାରିନାହିଁ ଦ୍ରୌପଦୀର ମନ

କେମିତି କହିବି

ଆଲୁଅର ଆରପାଖେ

ମୁଁ ଜିତୁ ଜିତୁ ହରାଇଛି ସମସ୍ତ।


ମୁଁ ରାଧା,ବର୍ଷାନୀର ମହାରାଣୀ

ମୋ ପ୍ରେମ ଓ ସମର୍ପଣ

ଦିନରାତି ଜିଉଁଛି ମରିମରି

ଦେହ ଚନ୍ଦ୍ରସେଣା ଜଗେ

ମନ କୃଷ୍ଣପାଶେ

ଏ କେମିତି ଅଜବ ରୀତି

ଅସହ୍ୟ ବିରହ ରାତି

ଜଳି ଜଳି ଯାଏ ମନ କୁଞ୍ଜବନ,

କେମିତି କହିବି

ଆଲୁଅର ଆରପାଖେ

ମୋ ଯନ୍ତ୍ରଣାସିକ୍ତ ଜୀବନ।


ଛାଡି ରାଜକୀୟ ସୁଖ ମୁଁ ଜନକ ଦୁଲଣି

ପତିବ୍ରତା ବ୍ରତ ରଖି

ହେଲି ବନଚାରିଣୀ

ସ୍ବର୍ଣ୍ଣିମ ହରିଣ ମାୟା ମରୀଚିକା

କପଟୀ ରାବଣ ହସ୍ତେ ବନ୍ଦି ଏକା ଏକା

ହୃଦେ ଜପେ ରାମ ରାମ

ଏକ ଧ୍ୟାନ ଏକ ଲୟ

ରାମକୁ ପାଇବା ପାଇଁ

ଦିଏ ବାରମ୍ବାର ସତୀତ୍ବର ଅଗ୍ନିପରୀକ୍ଷା

ନୀତି ଆଦର୍ଶକୁ ଜାବୋଡି ଧରି,

କେମିତି କହିବି

ଆଲୁଅର ଆରପାଖେ

ହାତପାହାନ୍ତାକୁ ଆସି ପୁଣି ସବୁ ଲେଉଟି ଯାଇଛି।


କାମନାର ଦାବାନଳେ ଜଳେ 

ମୁଁ ମହାରାଜା ଶାନ୍ତନୁ

ସତ୍ୟବତୀ ପ୍ରେମ ମାୟାଜାଲେ

ହରାଇଲି ସମସ୍ତ ବୁଦ୍ଧି ଓ ବିବେକ

ପ୍ରେମରୂପୀ ଜହର ମୁଁ ଆକଣ୍ଠ ପାନକରି

ରୋପିଦେଲି ବୀଜ

ମହାଧ୍ବଂସର ମହାଭାରତ,

କେମିତି କହିବି

ଆଲୁଅର ଆରପାଖେ

ମୋ ଧ୍ବଂସର ମହାନାୟକ ମୁଁ

ବଳିଦେଇଛି ମୋ ଭୀଷ୍ମର ସୁଖସାମ୍ରାଜ୍ୟ।


ସର୍ବଗୁଣସମ୍ପନ୍ନ ମୁଁ ମହାରଥି କର୍ଣ୍ଣ

ନିଜ ରକ୍ତ କରେ ସଦା

ଲାଞ୍ଛିତ,ଅପମାନିତ

ସ୍ନେହଁ,ଶ୍ରଦ୍ଧା ,ସମ୍ମାନ ଅନ୍ୟକୁ ଦେଇ ମୁଁ ସର୍ବହରା

ଶ୍ରେଷ୍ଠ ଦାନବୀର,

କେମିତି କହିବି

ଆଲୋକର ଆରପାଖେ

ମୋ ତ୍ୟାଗର ମୂଲ୍ୟ।


ଏବେ ଆଉ ଭାବିବିନି କିଛି

ଭୁଲିଯିବି ଯନ୍ତ୍ରଣା ଜର୍ଜରିତ

କୌରବଙ୍କ ଅଟ୍ଟହାସ୍ୟ

ବିଚାର କରିବିନି କେବେ

ପାପପୂଣ୍ଣ୍ୟ, ଧର୍ମଅଧର୍ମ,ନୀତିଅନୀତି

ମାନଅପମାନ,ପ୍ରେମପ୍ରତାରଣା

ଆଶାନିରାଶା,ବିଶ୍ବାସଅବିଶ୍ବାସ

ଓଃ ! ଏବେ ସମସ୍ତେ ଦୂରେଇ ଯାଅ

ମୁଁ ଗୌତମ ବୁଦ୍ଧ

ସଂମ୍ପର୍କ ଶୂନ୍ୟ,ଆଶା ଶୁନ୍ୟ,କାମନା ଶୂନ୍ୟ

ବର୍ତ୍ତମାନ ମୁଁ ଖାଲି ମୁଁ

ଆତ୍ମାଟିଏ,ଶରୀର ନୂହେଁ

ଶାନ୍ତି ହିଁ ଶାନ୍ତି,

କେମିତି କହିବି

ଆଲୁଅର ଆରପାଖେ

ମନୁଷ୍ୟର ସମସ୍ତ ଭାବପ୍ରବଣତାକୁ ମୁଁ ଉତାରି ଦେଇଛି ।


Rate this content
Log in

Similar oriya poem from Romance