ଆ ରେ ସାଥି ଆ
ଆ ରେ ସାଥି ଆ
ପାଦରେ ପାଦ ମିଶାଇ ମୋର
ହାତ ଧରି ଥିବ ହାତେ
ଆସୁ ଯେତେ ସୁନାମି ଆସୁ ବା ତିତଲି
ଛାତି ବନି ଅଧା ବାଟେ ।
ଆକାଶଟେ ତୁମେ ହୋଇଲେ ମୋହର
ମୁଁ ହେବି ତୁମ ଧରା
ତୁମେ ହେଲେ ସୂର୍ଯ୍ୟ ମୁଁ ହୋଇବି ତୁମର
ତଟିନୀ କମଳ ପରା ।
ସଂସାର ଗଗନେ ତୁମେ ହେଲେ ଚାନ୍ଦ
ମୁଁ ତୁମ ନୀଳ କଇଁ
ମନ୍ଦିରେ ଦେବତା ହୋଇଲେ ତୁମେ
ମନ୍ଦିର ପାହାଚ ମୁଇଁ ।
ମୁଁ ହେଲେ ଶରୀର ତୁମେ ମୋ ହୃଦୟ
ଧକ୍ ଧକ୍ ଶବ୍ଦ ହୋଇ
ଶରୀର ମୋ ଶବ ହୋଇବା ଯାଏ ତୁମେ
ଥିବ ହୋଇ ମୋର ଛାଇ ।
ମୋ ଅନ୍ଧ ଆଖିର ତୁମେ ହେବ ଜ୍ୟୋତି
ହେବ ସେ ଆଖିର ସ୍ବପ୍ନ
ମମତାଜ ମୁଁ ଯେ ପ୍ରେମର ରାଇଜେ
ତୁମେ ମୋର ଶାହାଜାହାନ ।
ରୋମିୟ ତୁମେ ଜୁଲିଏଟ୍ ମୁଁ ଯେ
ତୁମେ ପାରୋର ଦେବଦାସ
ମୁଁ ହେଲେ ପଥର ତୁମେ ସେଇ ଶିଳ୍ପୀ
ଦେବ ମୋତେ ଜୀବନ୍ୟାସ ।
ମୁଁ ରାଈ କିଶୋରୀ ତୁମେ ଦାମୋଦର
ଏ ଜୀବନ ଯମୁନା କୂଳ
ଯେ କୌଣସି ପରିସ୍ଥିତି ଆସୁ ଜୀବନେ
ସାଥିରେ ଥିବ ତୁମେ ମୋର ।
ଦୁଃଖକୁ ବାଣ୍ଟିବା ସୁଖ ସାଉଁଟିବା
କୁ ସୁ କୁ ଗଣ୍ଠିଲି ବାନ୍ଧି
କୋଟିଏ କି ଶହେ ଯେତେ ଜନ୍ମ ଥିବ
ଚାଲିବା ହାତେ ହାତ ଛନ୍ଦି ।
ରହିଲା ରାଣ ପରସ୍ପର ହେବା ପ୍ରାଣ
"ଆ ରେ ସାଥି ମୋ ଆ"
ଆଜି ଯାଏ ଯାହା ଇତିହାସେ ହୋଇନି
ସେଠି ପ୍ରଥମେ ଲେଖିବା ନାଁ ।

