ଶ୍ରାବଣ ରାତି ପ୍ରିୟାର ଚିଠି
ଶ୍ରାବଣ ରାତି ପ୍ରିୟାର ଚିଠି
ଶ୍ରାବଣ ରାତିର ନିର୍ଜନ ପ୍ରହରେ
ବର୍ଷା ଝରିଗଲା ପରେ
କେଜାଣି କାହିଁକି ତୁମ କଥା ପ୍ରିୟା
ବାରମ୍ବାର ମନେପଡେ ।
ଗଲା ଫଗୁଣର ପ୍ରେମ ଚିଠି ତୁମ
ଏବେ ମୁଁ ପଢୁଛି ପ୍ରିୟା
ଭଲପାଇବା ର ପ୍ରଥମ ସ୍ୱାକ୍ଷର
ଆଜିବି ଲାଗୁଛି ନୁଆ ।
ଲୁଚି ଲୁଚି ଦେଖା ଚୁପି ଚୁପି କଥା
ସବୁ ସ୍ମୃତି ମନେ ପଡେ
ଶ୍ରାବଣ ରାତିର ନିର୍ଜନ ପ୍ରହରେ
ବର୍ଷା ଝରିଗଲା ପରେ ।
ଝରକା ସେପାଖେ ଶୀତଳ ପବନ
ଦେହରେ ପ୍ରଣୟ ନିଆଁ
ବାହୁ ବନ୍ଧନକୁ ଆସ ଆଜି ପ୍ରିୟା
ତୃପ୍ତ କରୁ ତୁମ ଛୁଆଁ ।
ଚନ୍ଦ୍ରମୁଖୀ ତୁମ ମଧୁ ଅଧର କୁ
ପିଉଥିବି ପ୍ରୀତି ପିଆଲା ରେ
ଶ୍ରାବଣ ରାତିର ନିର୍ଜନ ପ୍ରହରେ
ବର୍ଷା ଝରିଗଲା ପରେ ।
ହାତଲେଖା ତୁମ ଗୋଲାପି ଚିଠିରୁ
ଆଜିବି ଅତର ବାସେ
ଭଲପାଅ ବୋଲି ସୁରିଲା ସୁରରେ
ପ୍ରତିଧ୍ୱନୀ ହୋଇ ଶୁଭେ ।
ପ୍ରିୟାରୁ ତୁମେ ଗୋ ପ୍ରିୟତମା ପାଇଁ
ଲେଖିଛ ଚିଠିର ଧାରେ
ଶ୍ରାବଣ ରାତିର ନିର୍ଜନ ପ୍ରହରେ
ବର୍ଷା ଝରିଗଲା ପରେ ।

