ରୋମାଣ୍ଟିକ ସ୍ମୃତି
ରୋମାଣ୍ଟିକ ସ୍ମୃତି
ତୁମେ ଆସିବ ଆସିବ ବୋଲି
ଆଖି ଆଖିରେ ଦେଲ ଇସାରା
ତୁମ ଆସିବା ବାଟକୁ ଚାହିଁ
ହୋଇଗଲି ମୁଁ ବେସାହାରା ।
ତୁମ ସାଥେ ହୋଇଥିବା ଭେଟ
ବନିଗଲା ବାସି ଗଜରା
ତୁମ ସାଥେ ଉଠିଥିବା ଫଟ
ଢାଳିଦିଏ ଲୁହ ଅସରା ।
ତୁମ ମନଖୋଲା ଖିଲି ହସ
ତୁମ ନାଲି ଓଠର ସ୍ପର୍ଶ
ତୁମ କରର ମୃଦୁ ପରଶ
ମନେ ପଡେ ସେହି ଶିହରଣ ।
ତୁମ ନିଦୁଆ ନିଦୁଆ ଠାଣି
ପାଉଁଜିର ରୁଣଝୁଣ ଶବ୍ଦ
ମନ ନେଉଥିଲ ତୁମେ କିଣି
ଜିଣି ଯାଉଥିଲ ତୁମେ ହୃଦ ।
ସେହି ନଦୀକୂଳ ଭେଟଘାଟ
ଆମ୍ବତୋଟାର ପ୍ରତୀକ୍ଷା ବେଳ
ଅବାଟକୁ କରି ତୁମେ ବାଟ
ଧାଇଁ ଆସୁଥିଲ ସଅଳ ।
କେତେ ମଠ, ମନ୍ଦିର ଦର୍ଶନ
ଗାଆଁ କ୍ଷେତରେ ହୁଏ ମିଳନ
ପ୍ରତିଶୃତିର ଲମ୍ବା ଫରଦ
ଆଜି ଇତିହାସେ ଧୁଆଁବାଣ ।
ତୁମ ଅପେକ୍ଷାରେ କଟେ ଦିନ
ଭେଟ ହେବ ଆର ଜନମ
ହୃଦେ ଧରି ତୁମ ସ୍ମୃତି ଚିହ୍ନ
କରିଯାଏ ମୋର କରମ ।

