ହୃଦୟର ଭାବନା, କି ଭୁଲ କଲି
ହୃଦୟର ଭାବନା, କି ଭୁଲ କଲି
ସାକ୍ଷୀ ଅଛନ୍ତି ଏହି ସବୁ ପବନ, ସୂର୍ଯ୍ୟ,
ଚନ୍ଦ୍ର, ଗ୍ରହ ଓ ତାରା
କିପରି ତୁମେ ମୋହର ହୃଦୟକନ୍ଦରେ
ଧସେଇ ପଶିଲ ପରା ।
ସେହି ତୁମର ମଧୁର ଆଳାପରେ କଲ
ମୋତେ ଅସହାୟ
ମନେ ଆଙ୍କି ଦେଲ ସପନ ଯାହା ମନ
ରହିଲାନି ହୋଇ ଥୟ ।
ଆହେ ମୋ ମନ କଳ୍ପନାର ଅମ୍ବୃତ ପ୍ରୀତି
ରୂପମୟୀ ଚାରୁଶୀଳା
ଭାଙ୍ଗିଲ ମୋ ନିରବତା ଗାଇ ତୁମ ଗୁଣୁ
ଗୁଣୁ ଗୀତମାଳା ।
ଜହ୍ନର ସ୍ନିଗ୍ଧ ଜ୍ୟୋସ୍ନାରେ ରଙ୍ଗ ଦେଇଥିଲ
ମୋତେ ଲାଜେଇ ଲାଜେଇ
ସ୍ମୃତିରେ ଅଛି ସେ ଗୋପନ ମିଠା ରଙ୍ଗର
ଫଗୁଣରେ ଦେଲ ଭିଜେଇ ।
ନଈ ନାଳ ବଣ ବିଲ ତୋଟା ମାଳେ କେତେ
ଯେ ବୁଲିଛେ କିପରି ଗଲ ଭୁଲି
ଅମାପ ଆବେଗେ କଳ୍ପନାରେ ହୁଏ ପ୍ରାଣବନ୍ତ,
କୁହ ତୁମ କଥା ଭାବି କି ଦୋଷ ମୁଁ କଲି ।
ହୃଦୟ ତ ମୋର ତୁମ ଠାରେ, ମନେ ଆଶେ
ସେହି ହଜିଲା ସପନ
ତୁମର ସ୍ମୃତି, ବିରହ ବେଦନା ଆସେ, ଅଶ୍ରୁ ପଡେ
ଝରି, ଭୁଲ କଲି କଅଣ ।
ମନରୁ ଲିଭୁନି ପ୍ରିୟା ପ୍ରୀତି ଭରା ସେଇ ମଧୁ
ଜୋଛନାର ରାତି
ଭୁଲ କେଉଁଠି, ଖୋଜୁଛି ଏ ମନ, ଭରିଥିଲ
ଡୋରି, ଏହି କୋହ ଭରା ଛାତି ।
ନିଆଁ ଲଗାଇଲ ରକ୍ତରେ ମୋର, ହୃଦୟେ
ସ୍ପନ୍ଦନ ଉଠିଲା ଭରି
ଅକୁହା ଯନ୍ତ୍ରଣା ଭରିଛି ହୃଦୟେ, ସମ୍ପର୍କର
ଗୁଢ ତତ୍ତ୍ୱକୁ ଗଲ ଭୁଲି ।