ତୁମେ ମୋ ସପନ ବଣିକ
ତୁମେ ମୋ ସପନ ବଣିକ
ତୁମେ ମୋର ପ୍ରିୟ ସପନ ବଣିକ
ରସିକ ନାଗର ବର
ତୁମକୁ ନେଇ ମୁଁ ଅସରନ୍ତି ସ୍ୱପ୍ନ
ଦେଖୁଅଛି ନିରନ୍ତର |
ତୁମ ଗୋରା ତନୁ ଦେଖିଲେ ଅତନୁ
ଛାଡ଼ିଦେବ ଫୁଲଧନୁ
ତମେ ମୋ ଜୀବନ ତୁମେ ମୋର ଧନ
ତୁମେ ମୋର ଅର୍ଦ୍ଧ ତନୁ |
ତୁମ ଇଶାରାରେ ସୀମା ସରହଦ
ଡେଇଁ ପାରୁନାହିଁ ଯାଇ
ସଦା ରହିଅଛି ହୃଦୟେ ତୁମର
କଇଁ ଯଥା ଚାନ୍ଦେ ଚାହିଁ |
ସମାଜ ସମୟ ସ୍ୱୀକୃତିକୁ ଲୟ
କରି ରହିଅଛି ମୁହିଁ
ସମ୍ମାନ ଦେଉଛି ସଂସ୍କାର ସଂସ୍କୃତି
ବଂଶ ବୁନିୟାଦିକୁହିଁ |
ମିଳିବ ସୁଯୋଗ ସ୍ୱପ୍ନ ସତ୍ୟ ହେବ
ଆଶା ହେବ ଫଳବତୀ
ତୋଳିବ ମୋପାଇଁ ପ୍ରେମର କୁଟୀର
ସ୍ୱପ୍ନର ଅମରାବତୀ |
ଖୋଲା ଝରକାରେ ଜହ୍ନ ଆଲୁଅରେ
ତୁମରି କୋଳରେ ବସି
ଗାଉଥିବି ଗୀତ ପ୍ରେମର ସଂଗୀତ
ଭାବ ରସେ ରସି ରସି |
ବରଷାର ଛିଟା ଛୁଇଁଯାଉଥିବ
ଗାଲରେ ମୁହଁରେ ଯେବେ
ବିଜୁଳିକୁ ଦେଖି କବିତା ଲେଖିବି
ଭାବନାରେ ବୁଡ଼ି ତେବେ |
ସୁନେଲି କିରଣ ବୁଣି ପଡୁଥିବ
ଯେବେ ତୁମ ଅଗଣାରେ
ମୋ ହାତ ମୁରୁଜ ପକା ଛବିପୁଞ୍ଜ
ହସୁଥିବ ଚଉରାରେ |
ତୁମରି ମଙ୍ଗଳ ପାଇଁ ସଞ୍ଜବତୀ
ଜାଳି କରୁଥିବି ସ୍ତୁତି
ଭାଗବତ ନିତି ଅଧ୍ୟାୟେ ପଢ଼ିବି
ହେବ ତୁମ ମନ ତୃପ୍ତି |
ଫୁଲ ଶେଜପର ହେବ ଅଭିସାର
ରମଣେ ପାହିବ ରାତି
ଅଳସ ଭାଙ୍ଗିବି ପୁଣି ଜଗାଇବି
ଛାତିରେ ମିଶାଇ ଛାତି |