ଛଳନା ଅବାଂଛିତ
ଛଳନା ଅବାଂଛିତ
ପ୍ରେମରେ ଛଳନା ଅବାଂଛିତ ଏକ
ସ୍ଵାର୍ଥପରତାର କାମ,
ନଷ୍ଟ କରିଥାଏ ଜଣକ ଜୀବନ
ବୁଦ୍ଧି କରିଥାଏ ବାମ ।
ଭରି ଦେଇଥାଏ ସାରା ଜୀବନକୁ
ତିକ୍ତମୟ ଅବଶୋଷ,
ଯେତେ ଚେଷ୍ଟା କଲେ ବଞ୍ଚିବା ଭିତରେ
କେବେ ହୁଏନାହିଁ ଶେଷ ।
ଆଖିରେ ସପନ ଆସେ ନାହିଁ ଆଉ
ପ୍ରୀତିଭରା ସୁଖନେଇ,
ସବୁ ସ୍ବପ୍ନ ରୂପ ହୁଏ ଭୟଙ୍କର
ନିରାଶାରେ ଭରିଦେଇ ।
କାଞ୍ଚନ ଧରିବା ପ୍ରଲୋଭନ ଆଉ
ମନେ କେବେ ଜାଗେ ନାହିଁ,
ନିରାଶା ହୃଦୟେ ପ୍ରୀତି ଫୁଲ ଆଉ
ହସି ହସି ଫୁଟେ ନାହିଁ ।
ବିରହର ଜ୍ୱାଳା ସହିବାକୁ ବାଧ୍ୟ
ଏକାକୀତ୍ୱ ଭରି ଯାଏ,
ଓଠର ହସ ତ ଉଭେଇ ମନରେ
 
; ଅବସାଦ ଭରି ଦିଏ ।
ଛଳନାର ଯେତେ ସ୍ମୃତି ଜାଗୁଥାଏ
ମନେ ଜାତ ହୁଏ କ୍ଷୋଭ,
ଅଜଣା ଆଶଙ୍କା ମନେ ସୃଷ୍ଟି କରେ
ବିପଦର ପ୍ରତିବିମ୍ବ ।
ପ୍ରୀତିର ଛଳନା ହୃଦେ ଭରି ଦିଏ
ଅସୁମାରୀ ଅଭିମାନ,
କହି ହୁଏନା କି ସହିବି ହୁଏନା
ନଥାଏ ତା ଅବସାନ ।
ବଞ୍ଚି ବି ଜୀବନେ ମରିବା ସମାନ
ନରକ ଯନ୍ତ୍ରଣା ଭୋଗେ,
ସବୁ ପ୍ରତୀକ୍ଷାର ନିଦାଘ ବୈଶାଖେ
ମରଣର ଆଶା ଜାଗେ ।
ମନେ ଗଢି ଥିବା ପ୍ରୀତିର ମହଲ
ଅକାଳେ ଭୁଷୁଡ଼ି ଯାଏ,
ବିଦୀର୍ଣ୍ଣ ହୃଦୟ ହାହା କାର କରେ
ଦୀର୍ଘାଶ୍ୱାସ ଭରା କୋହେ ।