ଅନ୍ତରାଳ
ଅନ୍ତରାଳ
ଶୁଷ୍କ ମରୁ ମୋର ମନ ପାରାବାର
ବରଷି କିଅବା ହେବ
ଲବଣ ସାଗରେ ବିକଶେ କି ପଦ୍ମ
ଭ୍ରମର ମଧୁକୁ ନେବ ।
ପ୍ରୀତି ଶ୍ରାବଣଟା ପାରି ହୋଇଗଲା
ଭୋଦୁଅ ଟୋପର ପିନ୍ଧେ
ଉଷ୍ଣପ୍ରସ୍ରବଣ ହୃଦୟେ ଫୁଟୁଛି
ପୂନେଇଁ ଜହ୍ନଟା ଛନ୍ଦେ ।
ଆଖିରେ ନାଇଛି ସପନ କଜ୍ଜଳ
ତୁମରି ଈଶାରା ପାଇ
ମେଦୁର ମେଘଟା ଧୋଇ ଦେଇ ଗଲା
ମୋ ପ୍ରେମକୁ ଦଳି ଦେଇ ।
ଅନ୍ଧକାର ସିନା ଲୁଚ କାଳି ଖେଳେ
ଛାଇ ଆଲୁଅର ତାଳେ
ମୋ ମନ ଦୋଳଇ ତୁମ ଆବେଗରେ
ଜୁଆର ଭଟାର କୋଳେ ।
କେବେ ମନ କଥା ଅନ୍ତରାଳେ ସୁପ୍ତ
କେବେ ପୁଣି ପ୍ରକାଶିତ
କବି ଏକା ପାରେ କଳପନା କରି
ଅନ୍ୟ ଧ୍ୟାନ ଭସ୍ମୀଭୂତ ।
ସପନେ ସଜାଇ ଯାମିନୀ ବିତଇ
ପ୍ରଭାତେ କୁହୁକ ପରି
ଖୋଲା ଲଫପାରେ ପ୍ରୀତି ବାଢ଼ି ଯାଏ
ଅକୁହା କଥାକୁ ପାରି ।
ବନ୍ଧା ପଡି ଯାଏ ହୃଦୟ ଘରଟା
ପ୍ରେୟସି ନପିରେ ଖୋଲି
ସ୍ପର୍ଶ ଅନୁଭବ ସବୁ ଉପଲବ୍ଧ
ପାରେନା ତାହାକୁ ଭୂଲି ।
ଯେତେ ସନ୍ନିକଟ ଉପୁଜେ ବିଭ୍ରାଟ
ଦୂରତାଟା ଅନୁତାପ
ମୂଲ୍ୟ ନବୁଝିଲେ ତହିଁରେ କି ଲାଭ
ପୁଣ୍ୟ ହେଉ କିବା ପାପ ।