ନାୟିକା
ନାୟିକା
ଏକାକି ଝରଣାର କୂଳେ ବସି ଭାବୁଥାଇ
ପ୍ରତିବିମ୍ବ ଛବି ଏକ ଜଳେ ଉଙ୍କି ମାରୁଥାଇ ।
ହୃଦୟ କନ୍ଦରେ ବି ଅଛି ଏକ ଅନନ୍ୟ ଆଇନା
ଉଦ୍ଭାସିତ ହୁଏ ଯହିଁ ତୁମ ସୌନ୍ଦର୍ଯ୍ୟ ଗାରିମା ।
ଛଳଛଳ ଅଶୃଜଳେ ଦେଖେ ତୁମ ପ୍ରତିବିମ୍ବ
ବଦଳାଇ ଦିଏ ମୋର ଜୀବନ ନୌକାର ଦିଗ ।
ମୃଦୁ ମନ୍ଦ ସମିରଣେ ସ୍ପର୍ଶ ଲଭେ ଯେବେ ଜଳେ
ଦୃଶ୍ୟମାନ ଯେସନେ ମୁଖ ଓଢଣା ଆଢ଼ୁଆଳେ ।
କିଛି କ୍ଷଣେ ପ୍ରତିବିମ୍ବ ମିଳେଇ ଯାଏ ଯେସନେ
ମନେ ଆସେ ତୁମ ସ୍ମୃତି ସମ୍ଭାଳେ କି ମୁଁ ଅକାରଣେ ।
କିଛି କ୍ଷଣ ନିରେଖି ଚାହିଁଲା ବେଳକୁ ଜଳ ମଧ୍ୟେ
ଆତତାୟୀ ପଥର ଖଣ୍ଡ ଆସି ଜଳେ ଖସି ପଡ଼େ ।
ଦୋହଲାଇ ଦିଏ ପ୍ରତିବିମ୍ବ ଦିଶେ ନାହିଁ ମୁଖ
ଚନ୍ଦ୍ର ଅଟ୍ଟହାସ୍ୟ କରେ ନଭେ ତୁମେ ଥରେ ଦେଖ ।
ସେହିଭଳି ତୁମ ଛବି ମନ ଭିତରେ ରଖିଛି ଲୁଚାଇ
ଭ୍ରମ ଧାରଣା ଆସିଲେ ଉଭେଇ ଯାଏ ତୁମ ଛାଇ ।
ଅପେକ୍ଷାରେ ବିତେ ରଜନୀ ପ୍ରିୟା ତୁମ ପାଇଁ
କିନ୍ତୁ ଜୀବନରେ ତୁମ ଦର୍ଶନ ତିଳେ ମାତ୍ର ନାହିଁ ।
ସତରେ କଣ ଆସିବ କି ମୋ ଜୀବନ ନାୟିକା
ହୃଦ ତନ୍ତ୍ରୀ ତାନ ମଧ୍ୟେ ଗାଇ ଜୀବନ ଗୀତିକା l
ଭାବି ଭାବି ପାହିଯାଏ ଅମା ଅନ୍ଧାର ରାତି
ବିତିଯାଏ ଅନେକ ମୁହୂର୍ତ୍ତ ଅଧାରୁହେ ପ୍ରୀତି ।