ବସନ୍ତ ଆଗମେ
ବସନ୍ତ ଆଗମେ
ଋତୁ ଚକ୍ରେ ଘୁରେ ଛଅ ଋତୁ ଧିରେ
ଏକପରେ ଏକ ଆସେ,
ଋତୁ ରାଜ ଯେବେ ଆସେ ଧରା ପରେ
ପ୍ରକୃତି ମଧୁରେ ହସେ ।
ବସନ୍ତ ଆସଇ ଆମ୍ବ ବଉଳରେ
ବାସ ଭରି ଦେହେ ତାର,
ମୃଦୁ ସମୀରଣ ଗାଏ ମଧୁଗୀତି
ଥାଏ ମିଳନର ସ୍ୱର ।
ବସନ୍ତ ବିରାଜ ଛୁଇଁ ଯାଏ ଯେବେ
ମନ ହୁଏ ଆନମନା,
ତାରୁଣ୍ୟ ଶିହରେ ଦେହରେ ଲାଜରେ
ମନ ହୁଏ ପ୍ରୀତିପୂର୍ଣ୍ଣା ।
ଆମ୍ବ ତୋଟା ମାଳେ କୋଇଲିର କୁହୁ
ହୃଦେ ମାଦକତା ତୋଳେ,
ଫୁଲ ଉଦ୍ୟାନରେ ପାଗଳ ଭଅଁର
ମନଭରି ଚୁମି ଚାଲେ ।
ପ୍ରଜାପତି ଉଡେ ଫୁଲରୁ ଫୁଲକୁ
ଖୋଜେ ମନଲାଖି ବାସ,
ଯେତେ ଛୁଇଁଲେ ବି ସତେ କି ତାହାର
ମେଣ୍ଟେନାହିଁ ପ୍ରୀତି ରାସ ।
ପୀରତିର ରଙ୍ଗ ଲାଗେ ବସନ୍ତରେ
ଯଉବନ ଉଠେ ଜାଗି,
ଦେହ ଖୋଜେ ଦେହ ମନ ଖୋଜେ ମନ
ଆଶ୍ଳେଷ ପରଶ ଲାଗି ।
ବସନ୍ତ ଆସେ ଯେ ପ୍ରକୃତି ଦେହରେ
ରୂପର ପସରା ମେଲି,
ଉନ୍ମାଦିତ ସିଏ ଭରିଦିଏ କ୍ଷୁଧା
ଯାହା ଦିଏ ପ୍ରୀତି ଢାଳି ।