ପ୍ରେମ-ଶାଶ୍ୱତ ଓ ଚିରନ୍ତନ
ପ୍ରେମ-ଶାଶ୍ୱତ ଓ ଚିରନ୍ତନ
ପ୍ରେମ,
ନଦୀ ଓ ସାଗରର,ଚାନ୍ଦ ଓ କଇଁର
ସୂର୍ଯ୍ୟ ସହ ପଦ୍ମର
ଶାଶ୍ୱତ କି ଚିରନ୍ତନ ,କାହାକୁ କିଏ ଅଧିକ ଭଲପାଏ
ଅସମାହିତ ଉତ୍ତର।
ଜଣକ ଅନୁପସ୍ଥିତି ରେ ଆଉ ଜଣେ ବିରହୀ
ହୃଦୟରେ ବେଦନା ର ଜ୍ୱାଳା,
ମନରେ ଅସରନ୍ତି ଭାବନା,
ଆଜି କଣ ସେ ଅପୂର୍ଣ୍ଣ ରହିବ?
ଦୂରେ ବହୁ ଦୂରେ,ତଥାପି ଦୁଇ ବାହୁ ଖୋଲି
ସାଗର ସ୍ୱାଗତ କରେ ନଇକୁ,
ବିଲ,ବଣ,ପ୍ରାନ୍ତର ଡେଇଁ
ବାଧାବିଘ୍ନ କୁ ପଛରେ ଥୋଇ ,
ନଇ ଆଗକୁ ଧାବିତ ହୁଏ,
ତା' ପ୍ରେମର ପୂର୍ଣ୍ଣତା ପାଇଁ,
ସାଗରର ବାହୁ ବନ୍ଧନୀରେ ନିଜକୁ ହଜାଇଦେବା ପାଇଁ।
ଆବିଳତା ନାହିଁ, ଆକାଂକ୍ଷା ବି ନାହିଁ
ଚିରନ୍ତନ ପ୍ରେମର ପରିପ୍ରକାଶ ହିଁ ଏକମାତ୍ର ଲକ୍ଷ୍ୟ।
ଭଲପାଏ ସେ ସକଳ ଶକ୍ତି ର ଆଧାର ସୂର୍ଯ୍ୟ କୁୁ
ତେଣୁ ପୂତିଗନ୍ଧ ପଙ୍କ ରୁ ସୃଷ୍ଟି ହୋଇବି
ସେ ସଭିଙ୍କ ପ୍ରିୟ, ଦେବ,ଦାନବ,ମାନବର
ତାଙ୍କ କିରଣର ସ୍ପର୍ଶରେ ସେ ଆତ୍ମ ପ୍ରକାଶ କରେ,
ଦୂରରୁ ହେଉ ପଛେ ,
ସେ ସ୍ପର୍ଶରେ ଥାଏ ପ୍ରେମର ମାଦକତା
ନାହିଁ ଛଳନା ନାହିଁ ପ୍ରତାରଣା,
ଆତ୍ମିକ ମିଳନର, ଶାଶ୍ୱତ ପ୍ର୍ରେ୍ମର ପରାକାଷ୍ଠା।
ହୃଦୟର ସ୍ପନ୍ଦନ କୁ ବୁଝିିିିପାରି
କଅଁଳ ହାତର ଶୀତଳ ଛୁଆଁରେ ତା ପ୍ରିୟା କୁ
ଜାଗ୍ରତ କରେ ଚାନ୍ଦ,
ଲାଜରେ ଲାଜରେ ନିଜକୁ ସମର୍ପଣ କରେ କଇଁ,
ତା ପାଖରେ,ଚାନ୍ଦ ର ସୁନ୍ଦର କୋମଳ ଦେହରେ,
ପାଇବାର ଇଛା ନାହିଁ କିଛି,
ଜୀବନର ସବୁ ଗୋପନ କୁ ହରାଇବାରେ
ଦୁଃଖ ବି ନାହିଁ,
କେବଳ ପ୍ରେମ ଆଉ ପ୍ରେମ ର ବାରତା ଦିିିଏ ସେ,
ଏ ପ୍ରେମ, ଶାଶ୍ୱତ ଓ ଚିିିରନ୍ତନର,
ଆକର୍ଷଣ ଆଉ ମିଳନର ।