ଅନ୍ତଃର୍ଦାହ
ଅନ୍ତଃର୍ଦାହ
ଏ ମାୟା ସଂସାରେ ନିରନ୍ତର ଖାଏ
ନିତି ନିତି ଅନ୍ତଃର୍ଦାହ
ହୃଦୟରେ ଭରା , ଦୁଃଖର ପସରା
ଜ୍ଵାଳା ଯାତନା ପ୍ରବାହ ।
ସମସ୍ୟା ଘେରରେ ଛନ୍ଦି ନିରନ୍ତରେ
ଭାଳି ଲଜ୍ଜା ଅନ୍ତରରେ
ଉଠେ ଚିତ୍ତ ବୃତ୍ତି ସମୂହ ବିକୃତି
ପ୍ରଭୃତିର ଅତ୍ୟାଚାରେ ।
ପ୍ରବୃତ୍ତି କାମନା ବାସନା ରଜ୍ଜୁରେ
ଅଭିନୟ କରି କରି
ବିକଟ ଉତ୍କଟ ଅଭାବର ନାଟ
ସମାଜରେ ଭ୍ରଷ୍ଟାଚାରୀ ।
ଜନଙ୍କ ଦାଉରେ ଅତିଷ୍ଠ ପରାଣେ
ପୀଡ଼ା , କମ୍ଫ , ତୀବ୍ର ଶ୍ୱାସ
ଭଣ୍ଡତା ପ୍ରସାର ହେତୁ ସିନା ଆଜି
ଲୁପ୍ତ ସବୁଠି ବିଶ୍ୱାସ ।
ପ୍ରଭାବେ ଯାହାର ଜୀବନ ଅସହ୍ୟ
ବେଦନା ଓ ଅନ୍ତଃର୍ଦାହ ।
ଜଳି ଜଳି ଚାଲେ ଜୀବନ ସଳିତା
ସହି ସହି ତୀବ୍ରତର
ବିଜ୍ଞାନ ବିଳାସେ ପ୍ରକୃତି ସୁନ୍ଦରୀ
ସାଜେ ନିତି ଭୟଙ୍କର ।
ପ୍ରଦୂଷଣ ବଢ଼େ ନିତି ଅନୁକ୍ଷଣ
ନଷ୍ଟ ଭ୍ରଷ୍ଟ ଏ ପ୍ରକୃତି
ନାହିଁ କାହିଁ ଆଉ ଅତୀତ ମଧୁର
ମୂର୍ଚ୍ଛନାରେ ଭରା ତୃପ୍ତି ।
ଦିନୁ ଦିନ ଏବେ ଅସୀମ ଗରବେ
ଧ୍ୱସ କରେ ନର ସବୁ
ସବୁଠାରେ ଆଜି ଅଶାନ୍ତିର ବୃଦ୍ଧି
ଦେହ ମନ ପ୍ରାଣ କାବୁ ।
କରିଦିଏ ନିତ୍ୟେ ବର୍ଦ୍ଧିତ ହାରରେ
ସମସ୍ୟା ଓ ବାଧାବିଘ୍ନ
ଦୁର୍ବିପାକ ଲୀଳା , ଦୁର୍ଘଟଣା ଧାରା
ବଢ଼ଇ ଦିନକୁ ଦିନ ।
ଦେଖି ଦେଖି ସହି ସମ୍ଭାଳି ନପାରି
ଅନ୍ତଃର୍ଦାହ ଦହେ ମନ
ବିଚଳିତ କରେ ଶଙ୍କା ସଙ୍କଟରେ
ଜନ୍ମ ଠୁଁ ଚିର ମରଣ ।
ଚିର ଦାହ୍ୟମନ ଦାବାଗ୍ନିର ସମ
ଦାହ୍ୟ ଦ୍ରବ୍ୟ ଦିଏ ଦହି
ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି
ମନ ନ ଜାଣନ୍ତି କେହି ।
ଦୁଃଖାର୍ତ୍ତ ପରାଣେ ପୀଡ଼ା ଉପଶମ
ପାଇଁ ସିନା ଆଶ୍ଵାସନା
ସପନ , ଭରସା ଦିଏ ନବ ଆଶା
ମାର୍ଜିତ କରେ ଚେତନା ।
ସ୍ପନ୍ଦନ ଆହ୍ବାନ ପୁଲକ ପ୍ଲାବନ
ସବୁ ଲୁପ୍ତ ଧ୍ୱସ୍ତ ଆଜି
ଧୋକା ଖାଇ ଖାଇ ଚାଲି ଚାଲି ଆଜି
ପାଥେୟ ବିହୀନ ପ୍ରାୟ
ଅନ୍ତରକୁ ନିତି ଦହି କୋରିଦିଏ
ତୀବ୍ରତର ଅନ୍ତଃର୍ଦାହ ।
ଯାହାର ପ୍ରଭାବେ ହତାଶା ଉଦ୍ଭବେ
ଧ୍ବସ୍ତ ବିଧ୍ବସ୍ତ ଚେତନା
କେ ଦେବ ମରମେ ପ୍ରୀତି ପୂର୍ଣ୍ଣ ମନେ
ନବ ଆଶା ଆଶ୍ୱାସନା ।
ଶୂନ୍ୟତା ପ୍ରକୋପ ତୀବ୍ରତର କମ୍ପ
ଯୋଗାଇ କରେ ଉନ୍ମନ।
ତୀବ୍ରତର ତାପ ଭ୍ରମ ଭ୍ରାନ୍ତି ଲମ୍ଫ
ନାଶଇ ମନ ଚେତନା ।
