ଅନନ୍ତ ପ୍ରତୀକ୍ଷା
ଅନନ୍ତ ପ୍ରତୀକ୍ଷା
ତୁମେ ଏମିତି ଥରେ ଅଚାନକ ଆସ
ଅନନ୍ତ ପ୍ରତୀକ୍ଷାର ଅନ୍ତ ହେଉ
ଅଥଚ ଅମୃତ ଆମନ୍ତ୍ରଣ ବଂଚି ରହୁ
ତୁମେ ଏମିତି ଥରେ ଛୁଇଁବାକୁ ଆସ
ସ୍ନେହିଳ ସ୍ପର୍ଶର ବୟସ ଲମ୍ବା ହେଉ
ଅଥଚ ଦେହ ଦେଉଳରେ ଦଧିନଉତି ଥାଉ
ତୁମେ ଏମିତି ଥରେ ଚୁମିବାକୁ ଆସ
କୁଣ୍ଡଳିନିରୁ ଉଦ୍ଗମ ସ୍ନେହ ତରଙ୍ଗମୟ ହେଉ
ଅଥଚ ସାରା ଦେହ ଦେହଳି ଅକ୍ଷୂର୍ଣ୍ଣ ଥାଉ
ତୁମେ ଏମିତି ଥରେ ଜାବୋଡି ଧରିବାକୁ ଆସ
ଦେହ ସୁଖର ଚରମ ଉତ୍କର୍ଷ ହେଉଥାଉ
ଅଥଚ ମନ ସୁଖର ସୀମାରେଖା ନଥାଉ
ତୁମେ ଏମିତି ଥରେ ଗପିବାକୁ ଆସ
ଅଳ୍ପ ଅଳ୍ପ ଅଣୁ ଗଳ୍ପ ଆରମ୍ଭ ହେଉ
ଅଥଚ ଅସରନ୍ତି ଗଳ୍ପର ଆତ୍ମିକ ବିବର୍ତ୍ତନ ହେଉ
ତୁମେ ଏମିତି ଆସିବ କହୁଥାଅ
ଅଥଚ ଆସୁନଥାଅ
ଦେଖିବାର ଉତ୍କଣ୍ଠା ଲମ୍ବେଇ ଯାଉ
ଅଥଚ ଅନ୍ତହୀନ ସମୀକ୍ଷା ଶେଷ ନ ହେଉ
ଅଥଚ ସୀମାହୀନ ପ୍ରେମ ସ୍ୱରୂପ ବଂଚି ଥାଉ
