ଅଣସର
ଅଣସର
ଜଗତ ବଲ୍ଲଭ ରାଜୀବ ଲୋଚନ
ପଦ୍ମନାଭ ଶିରିଧର
କେତେ ସ୍ନାନ କଲ ଆହେ ଚକ୍ରଧର
ହୋଇଲା ତୁମ୍ଭକୁ ଜ୍ୱର ।
ଶୁଣିଲେନି ମନା ହୋଇ ଆନମନା
ଭକତ ଭାବରେ ଭୋଳ
ଅଣସର ଘରେ ରହିଲ ଗୋସେଇଁ
ଭୋଗ ମହାସ୍ନାନ ଫଳ ।
ଜଗତ ସହାୟ ପ୍ରଭୁ ଦୟାମୟ
ଫସିଗଲ ନିଜ ଜାଲେ
ମାୟାରେ ମୋହୁଛ ଆହେ ମାୟାପତି
ପଡିଲ ସ୍ଵଂୟ ମାୟାରେ ।
ଜଗତ ଆୟତ୍ତ କରୁଛ ଗୋସେଇଁ
ସ୍ଵଂୟ ହେଲ ଅଣାୟତ୍ତ
ପତିତ ପାବନ ଦେବ ହୃଷୀକେଶ
ଭକ୍ତ ପ୍ରେମେ ହୋଇ ମତ୍ତ ।
ତୁମେ ମହୋଷଧି କରୁଣା ବାରିଧି
ହୃଦ ତାପ ବିନାଶନେ
କୋଟି କୋଟି ଜନ୍ମ ପାପ ହୁଏ ଧ୍ଵଂସ
କଳା ଶ୍ରୀମୁଖ ଦର୍ଶନେ ।
ବଡଖିଆ ଜଗା ବସିଛ ମଉନେ
ଅଣସର ଘରେ ଯାଇ
ବାଦ୍ୟ ଭେରୀ ତୂଳୀ ମୃଦଙ୍ଗ କାହାଳୀ
ଶ୍ରୀମନ୍ଦିରେ ବାଜୁନାହିଁ ।
ଷାଠିଏ ପଉଟି ଅମୃତ ମଣୋହି
ଗ୍ରାସ କରୁନାହଁ ଆଉ
ପାଣି ପଣା ଆଉ ଚକଟା ଭୋଗରେ
ସହୁଛ ଭୋକର ଦାଉ ।
କରି ମନ ଉଣା ତବ ସିଂହଦ୍ଵାରୁ
ଯାଉଅଛି ଭକ୍ତ ଫେରି
ତୁମ୍ଭ ବିଷ୍ଣୁ ରୂପ ଶ୍ରୀ ଅଲାରନାଥ
ଦେଖିବାକୁ ବ୍ରହ୍ମଗିରି ।
ହୁଏ ଉପଚାର ଶ୍ରୀଅଙ୍ଗ ମର୍ଦ୍ଦନ
କରାଳ କର୍ମ ଗୋପନେ
ଅଙ୍ଗ ଫିଟା ନୀତି ଶ୍ରୀତୈଳର ଲାଗି
ଅଙ୍ଗ ତାପ ବିନାଶନେ ।
(ଶ୍ରୀ)ପଇତା ଧାରଣ ଗଜ ଉଦ୍ଧାରଣ
କରିଥାଅ ଏହି ଲଗ୍ନେ
ଶ୍ରୀପଟ୍ଟା ବନ୍ଧନ ମସୃଣ ଲେପନ
ତହିଁପରେ ଚକାବିଜେ ।
ଆରୋଗ୍ୟ ଦାୟକ ତୁମ୍ଭ ନାମ ମାତ୍ର
ଦୂର କରେ ଆଦି ବ୍ୟାଧି
ମାନବ ପ୍ରକାରେ କରୁଛ ସେବନ
ଦଶମୂଳ ମହୋଷଧି ।
ଶ୍ରୀ ଚନ୍ଦନ ଲାଗି ଖଡ଼ି ଲାଗି ହୁଏ
ଆରୋଗ୍ୟ ହୁଅ ମଣିମା
ଶ୍ରୀଧର ଶ୍ରୀପତି ଆହେ ବିଶ୍ଵରୂପ
(ଧନ୍ୟ) ଧନ୍ୟ ତୁମ୍ଭର ମହିମା ।
ଜଗତ ଜୀବନ ମୁକୁନ୍ଦ ମୋହନ
ଦଇତା ମନ ହରଷ
ଦୀନଜନ ବନ୍ଧୁ ଆହେ କୃପାସିନ୍ଧୁ
ପଦ୍ମନାଭ ପୀତବାସ ।
ବାଜେ ଘଣ୍ଟ ଘଣ୍ଟା ସୁସମ୍ବାଦ ଦିଏ
ଆରୋଗ୍ୟ ହେଲେ ଠାକୁର
ଚଳନ୍ତି ପ୍ରତିମା ଗଜପତି ରାଜା
ପାଆନ୍ତି ତୁମ୍ଭ ନିର୍ମାଲ୍ୟ ।
କାଳୀୟ ଦଳନ ଗରବ ଗଞ୍ଜନ
ଲକ୍ଷ୍ମୀକାନ୍ତ ଦଇତାରୀ
ତୁମେ ତ ବଇଦ ତୁମେ ହିଁ ତ ବ୍ୟାଧି
ସବୁ ତ ମାୟା ତୁମରି ।
କରୁଛନ୍ତି ହୁରି ଦଇତା ସେବକ
ଉଠ ଉଠ ଦାମୋଦର
ଶ୍ରୀମନ୍ଦିର ଶୂନ୍ୟ ଲାଗେ ତୁମ୍ଭ ବିନା
ଛାଡ ଅଣସର ଘର ।
ଭକତ ବାନ୍ଧବ କ୍ଷୀର ସିନ୍ଧୁବାସୀ
କରିଛ କି ଅଭିମାନ
କ୍ଷମା ସାଗର ହେ ଦୋଷ କ୍ଷମାକର
ମାନ ଛାଡ ନାରାୟଣ ।
ଅଗତି ର ଗତି ପ୍ରଭୁ ବ୍ରହ୍ମରାଶି
ନୀଳଗିରି ଗଦାଧର
ଭକତ ଜୀବନ କମଳ ଲୋଚନ
ପଦ୍ମହସ୍ତ ବେଣୁଧର ।
ଶ୍ରୀଖଳି ପ୍ରସାଦ ଶ୍ରୀଖଡି ପ୍ରସାଦ
ବୋଳି ହୁଅ ଶ୍ରୀଅଙ୍ଗରେ
ରସିକ ନାଗର ବନକ ଲଗାଅ
ତୁମ୍ଭ କଳା ଶ୍ରୀମୁଖରେ ।
ଜିଣି କଳା ମେଘ କାଳିଆ ଶ୍ରୀଅଙ୍ଗ
ଝଟକେ ଯେ ଦାଉ ଦାଉ
ନବ ଯଉବନ ଦିଅ ଦରଶନ
ସୁରପତି ମହାବାହୁ ।
ଭକତ ଆଶ୍ବସ୍ତ ଦେଖି ପଦ୍ମମୁଖ
ମନ ହୁଏ ପୁଲକିତ
ଦଇତା ସେବକ ଦେବତା ଦାନବ
ସର୍ବେ ହୋନ୍ତି ଆହ୍ଲାଦିତ ।
ବହୁଛି ଲୋତକ ହୃଦ ରୋମାଞ୍ଚିତ
ଦେଖି ନବଯଉବନ
କମ୍ପୁଛି ଅଧର ଆହେ ବିମ୍ବାଧର
ଜଗନ୍ନାଥ ଜନାର୍ଦ୍ଦନ ।
ଦେଖି ତୁମ୍ଭ ମୁଖ କଟିଯାଏ ଦୁଃଖ
ଦୁଃଖନାଶନ ଶ୍ରୀହରି
ପତିତ ପାବନ ଜଗତ କାରଣ
ପରବ୍ରହ୍ମ ଗିରିଧାରୀ ।
ହୋଇଯାଅ ସଜ ଆହେ ଦେବରାଜ
ଆସିଗଲା ଶ୍ରୀଗୁଣ୍ଡିଚା
କୀଟୁ ବ୍ରହ୍ମ ଯାଏ ଆତୁର ପରାୟେ
କରନ୍ତି ଦର୍ଶନ ଇଛା ।
ବ୍ରହ୍ମା ଯେ ବରୁଣ ଇନ୍ଦ୍ର ଦେବଗଣ
କରୁଛନ୍ତି ବହୁ ସ୍ତୁତି
ଆହେ ନିରାକାର ନିର୍ଗୁଣ ପୁରୁଷ
ତୁମ୍ଭର ଦର୍ଶନେ ମୁକ୍ତି ।
ନୀଳଗିରି ବାସୀ ଶଙ୍ଖକ୍ଷେତ୍ର ପତି
ପୁଣ୍ୟଦେହ ବ୍ରହ୍ମରାଶି
ତୁମ୍ଭର ମହିମା ଦେବେ ଅଗୋଚର
କେତେ ଲୀଳା କର ହସି ।
ନାହିଁ ଆଦି ଅନ୍ତ ତୁମେ ତ ଅନନ୍ତ
ପାରିନାହିଁ କେହି କଳି
ଦୋଷ କ୍ଷମା କର ଭକତ ବାନ୍ଧବ
ମାଗେ କ୍ଷମା ତୃଣ ଧରି ।