ଅନ୍ଧକାରର ଛାଇ
ଅନ୍ଧକାରର ଛାଇ
ଛାଇପରା ସବୁବେଳେ
ପାଖେ ପାଖେ ଥାଏ,
ଅନ୍ଧାର ମାଡିଆସିଲେ ଅସୁବିଧା କଣ?
ଅନ୍ଧାରରେ ଦେହ ତ ଦିଶୁନି,
ଛାଇ ଦିଶିବ କେମିତି ଯେ?
ହେଲେ ଛାଇ କିନ୍ତୁ ଦେହକୁ ଛାଡି
କୁଆଡେ ଯାଇନି I
ଏବେ ତ
ଛାଇ ଖୋଜିବାର ବେଳ ଆସିଗଲା
ଅନ୍ଧାରରେ ହେଉ କି ଆଲୁଅରେ
ଆଖି ବନ୍ଦ କରି ଦେଖିଲେ ହିଁ
ଅନୁଭବ କରି ହେଉଛି
ଛାଇର ଉପସ୍ଥିତି,
ଦେଖୁନ କେମିତି
ଧିରେ ଧିରେ ବଢି ବଢି
ଦିଗବଳୟ ଛୁଇଁଲାଣି ଛାଇ I
ଆଖିର ଜ୍ୟୋତି
ଯେତେ କମି କମି ଯାଉଛି
ଛାଇର ଦୈର୍ଘ୍ୟ
ସେତେ ବଢି ବଢି ଯାଉଛି I
ଆଲୁଅ ତ ଆଜିକାଲି
ଖୁବ୍ ଡରଉଛି
ସେଇଥି ପାଇଁକି ବୋଧେ
ମେଞ୍ଚାଏ ବହଳ ଅନ୍ଧାର ମୁଁ
ମୁଠାରେ ମୋ ମୁଠାଇ ଧରିଛି I
