ଅନ୍ଧାରର ମୁହଁ
ଅନ୍ଧାରର ମୁହଁ
ମସାଲ ଜଳାଅ ନିଜ ଭିତରେ
ଦୀପଟିଏ ଜାଳ ମନ କୋଠରୀରେ
ଦେଖ ତୁମେ ଅନ୍ଧାରକୁ
ଅନ୍ଧାରରେ ଲୁଚି ରହିଥିବା ଭାବନାକୁ
ଆଲୋକରେ ସବୁ ଗୁପ୍ତ, ସୁପ୍ତ,
ଅନ୍ଧାରର ଅଛି ମୁହଁ
ଅଛି ମଧ୍ଯ ତାର ଅଙ୍ଗ, ପ୍ରତ୍ୟଙ୍ଗ ଓ ଅବୟବ,
ତୁମକୁ ସମୟ ଲୋଡ଼ା ଅଳ୍ପ
ବୁଦ୍ଧି ଲୋଡ଼ା ପର୍ଯ୍ୟାପ୍ତ
ତୁମେ ଦେଖିପାରିବ ଚିହ୍ନିପାରିବ
ସୂର୍ଯ୍ୟାଲୋକରେ ଦେବତା ପାଲଟୁଥିବା
ଅନ୍ଧକାରରେ ରାକ୍ଷସର ରୂପ
ଅଚିହ୍ନା ରହିଲେ ତୁମେ ଭୋ ଭୋ କାନ୍ଦିବ,
ଖୁବ୍ ପ୍ରାଞ୍ଜଳ ଦିଶେ, ସ୍ପଷ୍ଟ ଦିଶେ
ବହଳ ଅନ୍ଧାରରେ ମଣିଷର ଚରିତ୍ର,
ସହଜ ଲାଗୁଥିବା ହୃଦୟ
ହୋଇଯାଏ ବିଚିତ୍ର, ଜଟିଳ ଓ କୁଟୀଳ
ମଣିଷର ଯେତେ ବଢେ ସୁବୁଦ୍ଧି ପାଏ କଷ୍ଟ,
ବଢିଯାଏ ଯେବେ ଦୁର୍ବୁଦ୍ଧି ଦିଏ ସେ ଯନ୍ତ୍ରଣା
ନିଆଁ ଲଗାଇବାକୁ କରୁଥାଏ ଷଡ଼ଯନ୍ତ୍ର
ଅବିରତ, କ୍ରମାଗତ, ଅବିଶ୍ରାନ୍ତ,
ଆଲୁଅର ମୁଖ ସମସ୍ତଙ୍କୁ ଦିଶେ
କୁତ୍ରିମତାର ରଙ୍ଗ ଓ ଅତରରେ
ସକାଳରେ ମଣିଷର ରୂପ ମହମହ ବାସେ,
ଥରେ ଅନ୍ଧାରକୁ ଗଲେ
ଥରେ ପ୍ରବେଶିଲେ ଚାରିକାନ୍ଥ ଭିତରେ
ରୂପ ହୁଏ ଉତ୍କଟ ଦୁର୍ଗନ୍ଧ
ଭାଙ୍ଗିଯାଏ ଆଦର୍ଶ ନୀତିର ମିଛ ବନ୍ଧ
କାହାକୁ କନ୍ଦାଇ ସେ ହସେ
ଜଣେ ଦାନବର ଆସୁରିକ ହସ,
ଅନ୍ଧାରରେ ଚିହ୍ନିବ ମଣିଷକୁ
କେବେ ମଣିଷ ଭିତରେ ଥିବା ଦେବତା
ପୁଣି କେବେ ଭୟଙ୍କର ପ୍ରାଣ
ତୁମ ଉଜ୍ଜ୍ବଳତା, ତୁମ ଚମକ
କେବଳ ତୁମକୁ ନୁହେଁ
ତୁମ ପ୍ରତିପକ୍ଷେ ଥିବା ପ୍ରାଣକୁ
ତୁମ ଉଜ୍ଜ୍ବଳତା ରେ ପରଖ,
ଆଲୋକରେ ତୁମେ ବୁଦ୍ଧିମାନ
ଅନ୍ଧକାରେ ନିଜକୁ ନ ମଣ କେବେ ମୁର୍ଖ,
ଦେଖ ଥରେ ମନଭରି ଦେଖ
ବୁଦ୍ଧି ଲଗାଇ ଜ୍ଞାନ ଲଗାଇ ପରଖ
ଅନ୍ଧକାରର ଶରୀରକୁ, ସମୟକୁ
ଅନ୍ଧାରର ଅଛି ମୁହଁ
ସେ ମୁହଁରେ କେବେ ପାପ ଅଛି
ଅଛି ପୁଣି କେତେ କେତେ ପୂଣ୍ୟ,
ସେ ଅନ୍ଧାରରେ କେତେ ଅଛି
ନିଷ୍କପଟତା, ସାଧୁତା ଓ ସଚ୍ଚୋଟପଣ
ଅଛି ପୁଣି ନିର୍ଦୟ, ନିଷ୍ଠୁର ଚରିତ୍ର,
ଚିହ୍ନ ତାକୁ ଜାଣ ତାକୁ
ଅନ୍ଧାରର ଅଛି ମୁହଁ
ଅନ୍ଧାରର ଅଛି ଅଙ୍ଗ, ପ୍ରତ୍ୟଙ୍ଗ ଓ ଅବୟବ ।