ଅନ୍ଧାର ରାସ୍ତା
ଅନ୍ଧାର ରାସ୍ତା
ଜନହୀନ ପ୍ରାୟ ଅନ୍ଧାର ରାସ୍ତାରେ
ଏକଲା ପଥିକଟିଏ
ଗାଡ଼ି,ସାଇକେଲ୍ ବିହ୍ୟୁନେ ଏକାକୀ
ଅନ୍ଧାରରେ ଚାଲୁଥାଏ ।
ଜନ ବସତିଠୁ ପ୍ରାୟ କିଛି ଦୂରେ
ଅନ୍ଧାର ରାସ୍ତା ଥିବାରୁ
ସଡ଼କ ବିଜୁଳି ଆଲୁଅ ନଥାଏ
ସେଥିଲାଗି ଆମେ ଡରୁ ।
ଟର୍ଚ୍ଚ ଆଲୋକ ଥିଲେବି ପାଖରେ
ସାପ ବେଙ୍ଗ ଭୟ ଥାଏ
ପବନରେ ଗଛ ଖଡ଼କିନା ହେଲେ
ଦେହ ହାତ ଥରି ଯାଏ ।
ପଥିକଟି ପରା ପଛକୁ ଅନାଏ
ଆସନ୍ତାକି ପଛେ କେହି
ସାଙ୍ଗ ପଥିକଟେ ମିଳନ୍ତା ତା'ସାଥେ
ଯାଆନ୍ତି ମୁଁ ସାଥୀ ହୋଇ ।
ହେଲେ କ'ଣ ହେବ ଅନ୍ଧାର ରାସ୍ତାରେ
କାହାର ବି ଦେଖା ନାହିଁ
ରାସ୍ତା କଡ଼ ଗାଁ ଶ୍ମଶାନକୁ ଦେଖି
ଟିକେ ଛନକା ଲାଗଇ ।
ଅନ୍ୟ ଗାଁ ନଈ ନିଜ ଗାଁ ମଶାଣି
ନିଶ୍ଚିନ୍ତ ଲାଗଇ ଭୟ
ତଥାପି ପଥିକ ଚାଲେ ସାହସରେ
ପ୍ରଭୁ ଠାରେ ରଖି ଲୟ ।
ଅନ୍ଧାର ରାସ୍ତାରେ ମନ ବେଗ ସହ
ଗୋଡ ବେଗ ବଢିଥାଏ
କେତେବେଳେ ରାସ୍ତା ସରିବ ପଥିକ
ମନେ ମନେ ଭାବୁଥାଏ ।
ଏତିକି ବେଳରେ ଦିଶଇ ଝାପସା୍
ଗାଁ ଆଲୋକର ଜ୍ୟୋତି
ଖୁସି ହୋଇଯାଏ ଚଞ୍ଚଳ ପଥିକ
ଦେହେ ପଶେ ତା'ର ଶକ୍ତି ।
ଭୂତ ପ୍ରେତ ଭୟ ମନର ଭାବନା
ଭାବି ଏହା ଡର ନାହିଁ
ଅନ୍ଧାର ରାସ୍ତାରେ ଚୋର ଭୟ ଥାଏ
ଏକୁଟିଆ ଯାଅ ନାହିଁ ।