STORYMIRROR

Dr Subas Chandra Rout

Classics

3  

Dr Subas Chandra Rout

Classics

ଅନାହତ ନାଦ ୩ ଭାଗ ୭

ଅନାହତ ନାଦ ୩ ଭାଗ ୭

1 min
171


ତ୍ରାଣକର୍ତ୍ତା ହେ ପିତା ମୁଁ ପାପୀ, କ୍ଷମା ଏହି ଗରିବକୁ, 

ତୁମ ପୁତ୍ର ମୁଁ ହେଲି କୁପୁତ୍ର, ଏ କଥା ଲାଜ ତୁମକୁ ।୭୩।  

ପାପ କରିଲି, ବହୁତ କଲି, କଲାବେଳେ ଥିଲା ଟେକ,

ପାରିଲେ କ୍ଷମା ଦିଅ ହେ ପ୍ରଭୁ, ନ ହେଲେ କାଟ ମୋ ବେକ ।୭୪। 

ତୁମେ କେବଳ ଅନ୍ତର୍ଯ୍ୟାମି, ତୁମେ ଆତ୍ମାର ଆଧାର,

ମୋ ହାତ ତୁମେ ଛାଡ଼ିଲେ କିଏ କରିବ ସଂସାର ପାର ।୭୫।  

ଲାଗିଛି ମନ ତୁମ ପାଖରେ, ଅନ୍ୟ ସ୍ଥାନେ ତୁମ ମନ,

କବୀର ଏହା ସମ୍ଭବ କିବା, ଦୁଇ ସ୍ଥାନେ ଏକ ମନ ।୭୬।  

“ମୋର” କହିଲେ କିଛି ବି ନାହିଁ, ଯାହା ଅଛି ସବୁ ତୋର,

ତୋର ଜିନିଷ ଫେରେଇ ଦେଲେ କିଛି ରହିବନି ମୋର ।୭୭।  

ସେଠାରୁ କେହି ବାହୁଡ଼ି ନାହିଁ, ବର୍ଣ୍ଣନା ଦେବ କେ ତାର ।

ସେଠାକୁ ସବୁ ଯାଆନ୍ତି ଏଠୁ, ଲଦି ଲଦି ମୁଣ୍ଡେ ଭାର ।୭୮।  

ମରିବା ଇଚ୍ଛା ଥିଲେ ମରିଯା, ସବୁ ଜଞ୍ଜାଳରୁ ପାର,

କିଏ ବା ଚାହେ ଦିନ ପ୍ରତି ଦିନ, ମରିବାକୁ ଶହେ ଥର ।୭୯।  

ହୀରା ସେଠାରେ ଦେଖାଅ ନାହିଁ, ଯେଉଁଠି ଠକଙ୍କ ହାଟ,

ଗଣ୍ଠିଲି କରି ତାହାକୁ ବାନ୍ଧି, ଧର ନିଜ ନିଜ ବାଟ ।୮୦।  

ହୀରା ପାଇଲି ପରୀକ୍ଷା କଲି, ହାତୁଡ଼ିରେ ମାଡ଼ ହେଲା, 

ଚୋଟ ସହିଲା ଭାଙ୍ଗିଲା ନାହିଁ, ମାନ ତାର ଚିହ୍ନି ହେଲା ।୮୧।  

ବିଦେଶ ଗଲା ଚନ୍ଦନ କାଠ, ଭାବିଲେ ତାହା ପଳାଶ,

ଚୁଲିରେ ଥୋଇ ଜଳେଇ ଦେଲେ, ଖେଳିଗଲା ତାର ବାସ ।୮୨।  

ହୀରା ପଡ଼ିଛି ବଜାର ମଧ୍ୟେ ଧୁଳି ଧୁସରିତ ହୋଇ,

ମୂର୍ଖ ନ ଜାଣି ସେ ବାଟେ ଯାଏ, ବଣିଆ ନିଏ ଉଠାଇ ।୮୩।  

ଏମିତି କେହି ମିଳିଲେ ନାହିଁ, ଦେବ ମୋତେ ଉପଦେଶ,

ଭବ ସାଗରେ ବୁଡ଼ୁଛି କିଏ ଧରିବ ବାହୁ ଓ କେଶ ।୮୪। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics