ଅନ୍ୱେଷଣ
ଅନ୍ୱେଷଣ
ମୁଁ ଯେମିତି ଖୋଜେ ତୋତେ
ପାଗଳ ପରାଏ ସତେ
ତୁହି କି ଦେଖୁଛୁ ମା
ତୋ ଦୟା ନେତ୍ରେ ।
ମୁଁ ସେ ଯେମିତି ଖୋଜେ ତୋତେ
ଜନମିଲି ଯେବେ ମୁହିଁ
କିଛି ତ ଜାଣି ନଥାଇ
କିଏ ଦେଖାଇଲା କୁହ
ଏ ମାୟା ଭୂଇଁ
ମୁହିଁ ଯେ ଅଜ୍ଞାନ ମୁଢ
ମନ ମୋର ନୁହେଁ ଦୃଢ଼
ବିପଦ କାଳରେ ଆସି
ରଖିବୁ ମୋତେ ।
ମୁଁ ଯେମିତି ଖୋଜେ ତୋତେ
ରାତିରେ ସପନ ଆସେ
ତୋର ଛବି ନେତ୍ରେ ଭାସେ
ରାତି ଅନ୍ତେ କେମିତି ମା
ମାଟିରେ ମିଶେ
ଭାଲପଟେ କି ଲେଖିଲୁ
କେଉଁ ସୁଖ ଅବା ଦେଲୁ
ଆଜି ତ ପାରେନା ଜାଣି
ପଡ଼ି ଏ ମର୍ତ୍ତ୍ୟେ ।
ମୁଁ ଯେମିତି ଖୋଜେ ତୋତେ
ରାତି ଲାଗେ ଗିରି ପରି
ନୟନେ ଶ୍ରାବଣ ବାରି
ହୃଦୟର ବେନି କୂଳ
ପ୍ଲାବନେ ଧରି
ଭାଙ୍ଗି ଯାଏ ମନ ବନ୍ଧ
ଆଖି ଥାଇ ହୁଏ ଅନ୍ଧ
କାହାକୁ ତ ଦେଖି ନାହିଁ
ଯାତନା ପଥେ ।
ମୁଁ ଯେମିତି ଖୋଜେ ତୋତେ
ପାଷାଣ ଯେସନେ ଛାତି
ପାରେନା ଅସ୍ତ୍ର କରତି
ତହିଁରେ କି ଫୁଲ ଫୁଟେ
ଛାଡି ତା ରୀତି
ଚାହେଁନା ମୋତି ମହଲ
କର ନାହିଁ କଲବଲ
ଜୀବନ ଖେଳକୁ ଶେଷ
କର ତୋ ହାତେ ।
ମୁଁ ଯେମିତି ଖୋଜେ ତୋତେ
ତୋର କଥା ମନେ ଭାଳି
ପାଦେ ତୋର କରେ ଅଳି
ଲୋତକ ବନ୍ୟାର ସ୍ରୋତେ
ପକାନା ବଳି
ମଥାର ସିନ୍ଦୂର ନେଇ
ଯାଏ ଅହ୍ୟ ରାଣୀ ହୋଇ
ଦୁନିଆଁରେ ରହି ଥିବୁ
ପ୍ରଭାତୀ ଗୀତେ ।
ମୁଁ ଯେମିତି ଖୋଜେ ତୋତେ