ଅମୃତସ୍ୟ କାହ୍ନା ଯୁଦ୍ଧସ୍ୟ କୃଷ୍ଣ
ଅମୃତସ୍ୟ କାହ୍ନା ଯୁଦ୍ଧସ୍ୟ କୃଷ୍ଣ
ନିକୁଞ୍ଜ କୁଞ୍ଜର କଳ୍ପବୃକ୍ଷ କୁହେ
କୁଆଡେ ଗଲ ଗୋ ରାଧା ,
ତୁମେ ନାହଁ ସିନା ତୁମରି ଛାଇ ବି
ନାଚେ,ହୋଇ ଅନୁରାଧା ।
କଦମ୍ବ କାନ୍ଦୁଛି, କିଞ୍ଚିତ କିଞ୍ଚିତ
ଯମୁନା ଜଳ ବି ଝୁରେ ,
ଗୋପଦାଣ୍ଡ ଆଜି ଧୂଳି ଧୁସରିତ
ସଦ୍ୟ ତୁମ ବିରହରେ ।
ସତ କୁହ ରାଧା ଭୁଲି କି ପାରିଛ
କାହ୍ନା ପ୍ରୀତି,ତା' ଅମୃତ ,
ଭୁଲିବ କେମିତି ତୁମରି ରେଣୁରେ
ବିନ୍ଦୁ ବିନ୍ଦୁ କୃଷ୍ଣାମୃତ !
ରାଧା କୃଷ୍ଣ ତୁମେ ଦୁଇଟି ଚରିତ୍ର
ଦୁଇଟି ପ୍ରୀତି ପାଖୁଡା ,
ସେ ବର୍ତ୍ମ ବିଗ୍ରହ ତୁମେ ତ ବିରହ
ବିରହେ ଜୀବନ ଗଢ଼ା ।
ଜାଣେନା କାହିଁକି ମୋ' ନିଭୃତ ମନ
କୃଷ୍ଣ କୃଷ୍ଣ ହୋଇ କାନ୍ଦେ ,
ରାଧା,ତୁମେ ସତ୍ୟ ସୁନିଷ୍ଠ ପ୍ରତିଷ୍ଠା
ଭାବି ହୁଏ ରାଧେ ରାଧେ ।
ରାଧା,ତୁମେ ପ୍ରେମ,ପ୍ରେମର ପ୍ରତୀକ
କୃଷ୍ଣ ତ ଘୋଷିତ ଯୁଦ୍ଧ ,
କପଟ,ଛଳନା, ମିଥ୍ୟା ପ୍ରତାରଣା
ଥିଲେ ସେ ସ୍ୱୟଂ ସମୃଦ୍ଧ ।
ଜୟ ପରାଜୟ ଯୁଦ୍ଧର ଭିତ୍ତିରେ
ନୁହେଁ ହାର୍ଦ୍ଦିକ ବାଞ୍ଛିତ ,
ପ୍ରେମରେ ବିଜୟ ସାର୍ଥକ ବିଜୟ
ସ୍ବର୍ଗୀୟ ସ୍ୱୟଂ ସମ୍ଭୂତ ।
ଅମୃତସ୍ୟ କାହ୍ନା ଯୁଦ୍ଧସ୍ୟ ଶ୍ରୀକୃଷ୍ଣ
କାହାକୁ ରଖିବି ପ୍ରେମ ,
କୁହ ରାଧା ତୁମେ କାହାକୁ ବାଛିବି
କରିବି ସାରଥୀ ମର୍ମେ ।
ବିଜୟର ଟୀକା ଚାହେଁନି ମୁଁ କେବେ
ହିଂସା ଯୁଦ୍ଧ ଜରିଆରେ,
ଜିତିବି ଗୋ ରାଧା ଜିତିବି ନିଶ୍ଚୟ
ଡୁବି ମାନବ ପ୍ରେମରେ ।
ହୃଦୟ ହୃଦୟ ପ୍ରେମରେ ପ୍ରେମରେ
ଜିତିବି,ଜିତି ଚାଲିବି,
ମାନବେ ମାନବେ ପ୍ରେମ ବାଣ୍ଟି ବାଣ୍ଟି
ସୃଷ୍ଟି ସୁନ୍ଦର ଦେଖିବି ।
ଆସ ରାଧା ଆମେ ବାଣ୍ଟି ଦେଇଯିବା
କାହ୍ନା ପ୍ରେମ ରସାମୃତ,
ସେ ପ୍ରେମ ନିଆରା ନାହିଁ ତା କିନାରା
ମାନବ ପ୍ରେମ ଅମୃତ !