ଅମୃତ ସନ୍ତାନ, ଖରାପ ଚିନ୍ତା ନକର
ଅମୃତ ସନ୍ତାନ, ଖରାପ ଚିନ୍ତା ନକର
ଦଣ୍ଡିଆ ଥୋପରେ ବାଳିଆ ଧରିବା
କାମ ଅଟଇ ଯାହାର
ଅମୃତ ସନ୍ତାନ କହିବାକୁ ଲାଗିବନି
ଲାଜ କି ବିବେକର ।
ଯେ ଡାଳେ ବସିଛି,ସେ ଡାଳ ହାଣୁଛି,
ସ୍ୱାର୍ଥକୁ ଆପଣା ମଣି
ହେବକି ପିତା ମାତା, ବନ୍ଧୁ, ସହୋଦର
ସ୍ନେହର ଗାର ଟାଣି ।
କଥାରେ ଖାଲି ଆମ ଧର୍ମ କର୍ମ
କୁଟୁମ୍ବ ମଣିବା ବିଶ୍ଵକୁ
ଅମୃତ ପରଷିବା ନାମେ ହଳାହଳ
ବିଷ ଯାଏ ବାଣ୍ଟିବାକୁ ।
କୁହେ ସମର ବୀର, ନିଜକୁ ବୋଲାଏ
ଦୂନିଆର ଶ୍ରେଷ୍ଠ ଧନୁର୍ଦ୍ଧର
ହାତେ ଧନୁଶର, କି ଲାଭ କୁହ, ବ୍ରହ୍ମାଣ୍ଡ
ଧ୍ୱଂସରେ, ଯଦି ହୋଇବ ପ୍ରସ୍ତର ।
ମନେ ରଖ, ଚିତା ଦହନ କରି ଥାଏ
କେବଳ ମୃତ ଶରୀରକୁ
ମାତ୍ର ଖରାପ ଚିନ୍ତା ଦହନ କରୁଥାଏ
ନିରନ୍ତର ସେହି ଜୀବିତକୁ ।
ବାରୁଦ ଗଦାରେ ଥୋଇ ଦେଇ
ପକାଏ ବମ୍ ଯିଏ
ସେହି ମନୁଷ୍ୟକୁ ଅମୃତ ସନ୍ତାନ
କହିବକି କୁହ କିଏ ।
ମାଟି, ପବନ, ଜଳ ସବୁ ତ ଦାନ
ଏହି ପ୍ରକୃତିର,
ସବୁ ନିଜେ ଆବୋରିବାକୁ, ପାରିବକି
କହି ଅମୃତ ସନ୍ତାନ ନାମ ତୁମର ।
