ଅମୃତ ମୂର୍ଚ୍ଛନା
ଅମୃତ ମୂର୍ଚ୍ଛନା
କବିତା - ଅମୃତ ମୂର୍ଚ୍ଛନା
ରଚନା - ପଞ୍ଚାନନ ଜେନା
ତାରିଖ -୧୪-୧-୨୦୨୫
ତୁମେ ଅତି ନିଜର ନୁହଁ
ଅତି ଆପଣାର ଲାଗ
ତୁମେ ଅତି ପାଖର ନୁହଁ
ଅତି ନିକଟତର ଲାଗ
ତୁମେ ଭିଡ଼ରେ ଅଚିହ୍ନା ନୁହଁ
ଚିହ୍ନା ଚିହ୍ନା ବାସ
ତୁମେ ଦୂର ସଂପର୍କୀୟା ନୁହଁ
ମହ ମହ ବାସ
ତୁମେ ମିଳିବ କି ନାହିଁ
ଜଣା ନାହିଁ
ତୁମେ ଭାଗ୍ୟରେ ଅଛ କି ନାହିଁ
ଜାଣିନି ମୁହିଁ
ତୁମେ ମୋ ନିଃଶ୍ଵାସ
ତୁମେ ମୋ ବିଶ୍ୱାସ
ସତ କହୁଛି
ତୁମେ ମୋ ଆଶାର ଅନ୍ତହୀନ ବିଶ୍ୱାସ
ତୁମକୁ ଖୋଜେ ମୁଁ ନିତି
ଶୟନେ ସପନେ ଅବା ଜାଗରେଣ
ତୁମକୁ ଭାବେ ମୁଁ ପ୍ରତି
ପଠନେ ପାଠନେ ଅବା ସ୍ମରଣେ
ତୁମକୁ କୋଳାଏ ମୁଁ ରତି
ମଗନେ ଚିନ୍ତନେ ଅବା ନିକାଞ୍ଚନେ
ଚେତନାରେ ଖୋଜା ଚାଲିଛି
କଲମ୍ବସ୍ ପରି
କଳ୍ପନାରେ ଖୋଜା ଚାଲିଛି
ଭାସ୍କୋଡ଼ାଗାମା ପରି
ଶେଷରେ ଆବିଷ୍କାର କରିବି
ତୁମ ଲବଙ୍ଗ ଦ୍ବୀପର ଦୂରୀ
ତୁମ ଦନୁରୀତ ଅନ୍ତରୀପ ପାରି
ମୋ କକ୍ଷ ପଥରେ ଅନ୍ତରୁ ଅନନ୍ତକାଳ
ମୋ ଅକ୍ଷ ପଥରେ ସଞ୍ଜବେଳରୁ ସକାଳ
ମୋ ଅସ୍ମିତାର ବଳୟରେ ଘୁରି ବୁଲୁଛ
ଚକ୍ରବାଳ ଡେଇଁ ଛାଇଯାଅ ଶୂନ୍ୟକାଳ
ଶେଷରେ ତୁମେ ମୋ ଗୃହେ ଆସିବ କି ନାହିଁ
ଜଣା ନାହିଁ
ଶେଷରେ ତୁମେ ମୋ ହାତ ଧରିବ କି ନାହିଁ
ଜଣା ନାହିଁ
ଶେଷରେ ତୁମେ ମୋ ପତ୍ନୀ ହେବ କି ନାହିଁ
ଜଣା ନାହିଁ
ତଥାପି ଅବ୍ୟକ୍ତ ଆଶାବାଦୀ
ତୁମେ ମୋ ସମ୍ଭାବନା
ତୁମେ ମୋ ଆଶ୍ଵାସନା
ତୁମେ ମୋ ଠାକୁର ଘରେ ଆଜି ବି
ସକାଳଦୀପର ଅମୃତ ମୂର୍ଚ୍ଛନା

